ଦେବଗଡ଼ : ଦନ୍ତା ନେଲା ୨ ଜୀବନ

ଦେବଗଡ଼/ରିଆମାଳ : କିଛି ଦିନ ହେଲା ଦେବଗଡ଼ ଜିଲ୍ଲାର ବିଭିନ୍ନ ରେଞ୍ଜ୍‌ରେ ହାତୀଙ୍କ ଉପଦ୍ରବ ଜାରି ରହିଛି। ତେବେ, ସୋମବାର ସକାଳେ ଏକ ଦନ୍ତା ହାତୀର ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଅପରାହ୍ନରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ଘଟିଛି। ସେହିପରି ଦନ୍ତା ଆକ୍ରମଣରେ ଜଣେ ମହିଳା ମଧ୍ୟ ଆହତ ହୋଇଛନ୍ତି। ଏବେ ବି ଉକ୍ତ ଅଞ୍ଚଳରେ ଦନ୍ତାଟି ଘୂରି ବୁଲୁଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗୋଟିଏ ଦିନରେ ଦୁଇ ଜଣଙ୍କ ମୃତ୍ୟୁ ଘଟିବାକୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ରିଆମାଳ ବ୍ଲକ ଲୁଲଙ୍ଗ ପଞ୍ଚାୟତ ବଡ଼କୁଦର ଗ୍ରାମର ଶନିଆ ବିରୁଆ(୬୫) ବିଲକୁ ଯାଇଥିବା ବେଳେ ତାଙ୍କୁ ଦନ୍ତା ହାତୀ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅପରାହ୍‌ଣରେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ସାତକିଆରିର କୋହ୍ଲ ବାଘ(୬୦)ଙ୍କୁ ହାତୀଟି ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ବି ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାର ଲୋକ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ମଧ୍ୟ ହାତୀ ଭୟରେ ମୃତଦେହ ଉଦ୍ଧାର କରିପାରି ନାହାନ୍ତି। ଖବରପାଇ ଘଟଣାସ୍ଥଳରେ ଏସିଏଫ୍‌ ପିଟର ଟିଗା, ସ୍ଥାନୀୟ ଫରେଷ୍ଟର୍‌ ପ୍ରଶାନ୍ତ ଶତପଥୀ ଓ ରିଆମାଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ଭାବେ କଣ୍ଟାବାହାଳ ପଞ୍ଚାୟତର ଶୁଣ୍ଢିନାଳୀ ଗ୍ରାମର ସୀତା ସାହୁ (୫୮) ସକାଳେ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିବାବେଳେ ପଛପଟୁ ହାତୀ ଆସି ତାଙ୍କୁ କଚାଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ସୀତାଙ୍କୁ ପ୍ରଥମେ ଦେବଗଡ଼ ଜିଲ୍ଲା ଡାକ୍ତରଖାନା ଏବଂ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର