ମାଟି ଅତଡ଼ା ଧସି ୨ ମୃତ

ନାରାୟଣପାଟଣା/ବନ୍ଧୁଗାଁ : ବର୍ଷା ଯୋଗୁଁ ଗୁମ୍ଫାରେ ନେଇଥିଲେ ଆଶ୍ରୟ। କିନ୍ତୁ ଏଠାରେ ଅପେକ୍ଷା କରି ରହିଥିଲା ମୃତ୍ୟୁ। ହଠାତ୍ ମାଟି ଅତଡ଼ା ଧସି ଯିବାରୁ ଚାଲି ଯାଇଛି ୨ଜଣଙ୍କ ଜୀବନ। ଆହୁରି ୪ଜଣ ଆହତ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ମେକେଡା ଗାଁ ପୋଲ ନିକଟରେ ଘଟିଛି। ମୃତକ ଦ୍ବୟ ହେଲେ ଟ୍ରାକ୍ଟର ଡ୍ରାଇଭର କାଶୀ ରବି(୨୯) ଏବଂ ହେଲପର ୱାଟେକା କିଶୋର(୨୪)। ଉଭୟ କାନାଗାଁର। ଆହତ ଶ୍ରମିକ ପିଡିକା କାମରାଜୁ, ୱାଟାକା କ୍ରିଷ୍ଣା, କିଲେକା ରାଜାରାଓ, ୱାଟେକା ପାପାନ୍ନା ମଧ୍ୟ କାନାଗାଁର ବୋଲି ସୂଚନା ମିଳିଛି।।

ଘଟଣା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୪ଟାରେ ନୀଲାବାଡି ଗାଁର ବି. କଂଶୀକ୍ରିଷ୍ଣାଙ୍କ ଟ୍ରାକ୍ଟର (ଏପି ୩୫ଡବ୍ଲୁ ୮୩୫୦) ନେଇ ଡ୍ରାଇଭର କାଶୀ ରବି ମେକେଡା ପୋଲ ତଳକୁ ବାଲି ଆଣିବାକୁ ଯାଇଥିଲେ। ସାଥୀରେ ହେଲ୍‌ପର୍‌ ଓ ୪ ଜଣ ଶ୍ରମିକ ଥିଲେ। ତେବେ ବାଲି ବାହାର କରିବା ସମୟରେ ପ୍ରବଳ ବର୍ଷା ହୋଇଥିଲା। ତେଣୁ ସମସ୍ତେ ପାଖରେ ଥିବା ମାଟି ଗୁମ୍ଫା ଭିତରେ ପଶି ଯାଇଥିଲେ। ତେବେ ବର୍ଷାରେ ଓଦା ହୋଇଯାଇଥିବା ଗୁମ୍ଫାଟି ହଠାତ୍ ଦବି ଯାଇଥିଲା। ତେଣୁ ୪ଜଣ ଶ୍ରମିକ ପ୍ରାଣ ବିକଳରେ ବାହାରକୁ ଚାଲି ଆସିଥିଲେ। କିନ୍ତୁ ଡ୍ରାଇଭର ଓ ହେଲ୍‌ପର୍‌ ବାହାରିବା ପୂର୍ବରୁ ଗୁମ୍ଫାଟି ସଂପୂର୍ଣ୍ଣ ଧସି ଯିବାରୁ ମାଟି ତଳେ ଉଭୟ ଚାପି ହୋଇ ରହିଥିଲେ। ଶ୍ରମିକମାନେ ଉଭୟଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ତେଣୁ ପାଖ ଗାଁର ଲୋକଙ୍କୁ ଘଟଣାସ୍ଥଳକୁ ଡାକିଥିଲେ। ଦମକଳ ବାହିନୀ ଏବଂ ପୁଲିସ ଏବଂ ପ୍ରଶାସନକୁ ନେଇ ସୂଚନା ଦିଆଯାଇଥିଲା।

ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସମେତ ଅନ୍ୟମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ ମାଟି ହଟିଥିଲା। କିନ୍ତୁ ସେତେବେଳକୁ ଡ୍ରାଇଭର୍‌ ଏବଂ ହେଲ୍‌ପର୍‌ଙ୍କ ମୃତ୍ୟୁ ହୋଇଯାଇଥିଲା। ରାତି ହୋଇଯାଇଥିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି। ଅନ୍ୟପଟେ ତୁରନ୍ତ କ୍ଷତିପୂରଣ ଦେବାକୁ କିଛି ସମୟ ପାଇଁ ପାଟିତୁଣ୍ଡ ହୋଇଥିଲା। ତେବେ ପୁଲିସ୍‌ ଏବଂ ପ୍ରଶାସନ ବୁଝାସୁଝା କରିବାରୁ ସ୍ଥିତି ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର