ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ

ବାଙ୍କୀ : ଶୁକ୍ରବାର ବିଳମ୍ବିତ ରାତିିରେ ବାଙ୍କୀ-କଟକ ରାସ୍ତାର ଶିମିଳିପୁର ଠାରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ  ମୃତ୍ୟୁ ଘଟିଛି।  ମୃତ ଦୁଇ ଯୁବକ ହେଉଛନ୍ତି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କରବର ଗ୍ରାମର ସୁବାସ ବେହେରା ଓ ରୋହିତ ବେହେରା ।

ସୁବାସ ଓ ରୋହିତ କରବର ସ୍ଥିତ ନିଜ ଗ୍ରାମରୁ ଏକ ବାଇକ୍‌(ଓଡି୦୨ଏସି୮୩୪୦)ରେ ଚକାପଦା ଗ୍ରାମ ସ୍ଥିତ ନିଜ ସଂପର୍କୀୟଙ୍କ ଘରକୁ ଯାଉଥିଲା ବେଳେ ବାଙ୍କୀ-କଟକ ରାସ୍ତାର ଶିମିଳିପୁର ଠାରେ ଭାରସାମ୍ୟ ହରାଇ ରାସ୍ତାରେ ଛିଡା ହୋଇଥିବା ଏକ ଷଣ୍ଢ ସହିତ ଧକ୍କା ହୋଇଥିଲା। ଏହି ସମୟରେ ବାଙ୍କୀରୁ ଭୁବନେଶ୍ୱର ଯାଉଥିବା ଏକ ହୋଣ୍ଡା ଇଅନ କାର୍‌ (ଓଡି୦୨ଏକେ୬୩୩୪) ସମ୍ମୁଖରେ ଦୁହେଁ ଛିଟିକି ପଡିଥିଲେ । ଘଟଣାସ୍ଥଳରେ  ସୁବାସ ବେହେରାଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ରୋହିତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ପଠାଯାଇଥିଲା। ମାତ୍ର ପାଥପୁର ଠାରେ ଆମ୍ବୁଲାନ୍ସରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ବାଙ୍କୀ ଅଗ୍ନିଶମ ଗାଡ଼ିରେ ରୋହିତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଥିିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ରୋହିତ ଏକ ଟେଣ୍ଟ୍‌ ହାଉସ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାରେ ପୁଲିସ କାର୍‌ ଡ୍ରାଇଭରକୁ ଅଟକ ରଖିବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର