ମିନିଟ୍ରକ-ବାଇକ ଧକ୍କା: ଦୁଇ ଯୁବକ ମୃତ

ଦେବଗଡ଼/କଲା : ୪୯ ନମ୍ବର ଜାତୀୟ ରାଜପଥର ଦେବଗଡ଼ ଜିଲ୍ଲା ବାର‌କୋଟ ବ୍ଲକ କଲା ଗ୍ରାମ ନିକଟରେ ଗୁରୁବାର ସନ୍ଧ୍ୟାରେ ଏକ ବାଇକ୍‌ ଓ ୭୦୯ ମିନିଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ହେବା ଫଳରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁଇ ଜଣ ଯୁବକ ଏକ ବାଇକ୍‌ରେ ପାଳଲହଡ଼ା ଅଭିମୁଖେ ଯାଉଥିଲେ। ତେବେ କଲା ଗ୍ରାମ ପାଖରେ ସାମ୍‌ନା ପଟୁ ଆସୁଥିବା ଏକ ୭୦୯ ମିନି ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ଯୁବକଙ୍କୁ ପ୍ରଥମେ ବାରକୋଟ ମେଡିକାଲ ଏବଂ ପରେ ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ଲେଖା ଯିବା ପର୍ଯ୍ୟନ୍ତ ମୃତ ଯୁବକ ଦ୍ବୟଙ୍କ ପରିଚୟ ମିଳିପାରି ନଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର