ଟ୍ରକ୍‌ ଚାପିଦେଲା: ଦୁଇ ସାଙ୍ଗ ମୃତ

ତିର୍ତ୍ତୋଲ : କଟକ-ପାରାଦୀପ ରାସ୍ତାର ରାହାମା ପେଟ୍ରୋଲ ଟାଙ୍କି ନିକଟରେ ଆଜି ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସାଅାଁସ ଗ୍ରାମର ଅନନ୍ତ ପ୍ରଧାନଙ୍କ ପୁଅ ଆକାଶ ପ୍ରଧାନ(୧୮) ଓ ତିର୍ତ୍ତୋଲ ପଞ୍ଚାୟତ ମାଣତିର ଗ୍ରାମର ନିରଞ୍ଜନ ସାମଲଙ୍କ ପୁଅ ଜ୍ଞାନରଞ୍ଜନ ସାମଲ(୧୭)। ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଦୁଇ ସାଙ୍ଗ ଆକାଶ ଓ ଜ୍ଞାନରଂଜନ ଏକ ଟିଭିଏସ ଆପାଚି (ଓଡି-୨୧ସି-୩୧୩୦) ବାଇକ୍‌ରେ କଟକ ପାରାଦୀପ ରାସ୍ତାରେ ରାହାମାରୁ ତିର୍ତ୍ତୋଲ ଦିଗକୁ ଯାଉଥିଲେ। ସେହି ସମୟରେ କଟକରୁ ପାରାଦୀପ ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ (ଓଆର-୨୧ବି-୨୫୫୫) ସେମାନଙ୍କୁ ଧକ୍‌କା ଦେଇଥିଲା। ଜଣେ ବାଇକ୍‌ ଆରୋହୀ ଟ୍ରକ୍‌ ତଳେ ରହିଯାଇଥିବା ବେଳେ ଅନ୍ୟ ଜଣେ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ। ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୁଲିସ ଟ୍ରକ୍‌କୁ ଜବତ କରିବା ସହିତ ମୃତ ଯୁବକଦ୍ୱୟଙ୍କ ଶବ ବ୍ୟବଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହି ଘଟଣାକୁ ନେଇ ଦୁର୍ଘଟଣାସ୍ଥଳରେ କିଛି ସମୟ ଉତ୍ତେଜନା ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର