ଅଜଣା ଗାଡ଼ି ଧକ୍କାରେ ଅଟୋ ଓଲଟିଲା : ୨ମୃତ, ଜଣେ ଗୁରୁତର

ଯୋଡ଼ା/ଚମ୍ପୁଆ : ‌କେନ୍ଦୁଝର ‌ଯୋଡ଼ା ଥାନା ବିଲେଇପଦା ଫାଣ୍ତି ଅଧୀନ କଣ୍ତରା ବୈତରଣୀ ପୋଲ ନିକଟରେ ଅଜଣା ଗାଡ଼ି ଧକ୍କାରେ ଏକ ଡାଲା ଅଟୋ ଓଲଟିଯିବା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି।

ମୃତ ଯୁବକଦ୍ବୟ ହେଲେ ଅଟୋ ଚାଳକ ମିଥୁନ କୁମାର ନାଏକ(୨୩) ଓ ସେଥିରେ ବସିଥିବା ଜମ୍ବୁ ମହାକୁଡ଼ (୩୫)। ଜମ୍ବୁଙ୍କ ପତ୍ନୀ ଟୁଙ୍କୁଲି ମହାକୁଡ଼ ଗୁରୁତର ହୋଇଛନ୍ତି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ମିଥୁନଙ୍କ ଘର ବାରିଆ ଥାନା ଅଧୀନ ଗିଧିବାସ ଗ୍ରାମରେ ଏବଂ ଜମ୍ବୁଙ୍କ ଘର ଧାତିକା ଗ୍ରାମରେ।

ଗତକାଲି ରାତି ପ୍ରାୟ ସାଢ଼େ ୯ ଟାରେ ଧାତିକା ଗ୍ରାମରୁ ବିଲେଇପଦା ନିକଟବର୍ତ୍ତୀ ବିରିକଳା ଗ୍ରାମକୁ ଜମ୍ବୁ ଓ ତାଙ୍କ ପତ୍ନୀ ଏହି ଡାଲା ଅଟୋ (ଓଡି୦୯ଏମ ୫୦୧୫)ରେ ଯାଉଥିଲେ। କଣ୍ଡରା ପୋଲ ନିକଟରେ ଅଟୋକୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇଯାଇଥିଲା। ଏଥିରେ ୩ ଜଣ ଗୁରୁତର ହୋଇଥିଲେ।

ଖବର ପାଇ ଦମକଳ କେନ୍ଦ୍ର କର୍ମଚାରୀ ଓ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନା ପଠାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ‌ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ସ୍ଥାନାନ୍ତର କରାଯାଉଥିଲା। ବାଟରେ ଜମ୍ବୁଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତରଖାନାରେ ମିଥୁନଙ୍କର ମୃତ୍ୟୁ ଘଟିଥିଲା। ଟୁଙ୍କୁଲି ଚିକିତ୍ସାଧୀନ ଅଛନ୍ତି। ପୁଲିସ ଅଟୋକୁ ଜବତ କରି ଏକ ମାମଲା ରୁଜୁ କରିଥିବା ଯୋଡ଼ା ଥାନା ଏସ୍ଆଇ ମନୋରଂଜନ ବିଶି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର