ପିକନିକ ବସ-ଟ୍ୟାଙ୍କର ମୁହାଁମୁହିଁ : ଦୁଇ ମୃତ, ୨୭ ଆହତ

ସମ୍ବଲପୁର/ ଚଣ୍ତିଖୋଲ : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କୟାକୁଦର ୫୫ ନଂ ଜାତୀୟ ରାଜପଥରେ ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ତୀର୍ଥଯାତ୍ରୀ ବସକୁ ଏକ ‌ତେଲ ଭର୍ତ୍ତି ଟ୍ୟାଙ୍କର ମୁହାଁମୁହିଁ ଧକ୍କା ଦେଇଥିଲା। ଏଥିରେ ୨ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୯ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଯାଜପୁର ଜିଲ୍ଲା କଳାଶ୍ରୀ ଗୋପାଳପୁର ଗାଁର ଶୁକଦେବ ଦାଶ (୫୯) ଓ ମାତାଜୀ ଦାଶ (୬୦)।

ବାଲିଚନ୍ଦ୍ରପୁର ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିକ୍ରମତିରଣ ଓ ନଳୀପୁର ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୩୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ଏକ ବସ୍ ସମ୍ବଲପୁର ଯାଇଥିଲା। ସେମାନେ ବୁଲାବୁଲି କରି ରେଢ଼ାଖୋଲ ଅଭିମୁଖେ ଫେରୁଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ବସଟି ରେଢାଖୋଲର କୟାକୁଦଠାରେ ବସ୍ ଏବଂ ବିପରୀତ ଦିଗରୁ ଆସୁଥିବା ଏକ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଥିଲେ। ଦୁର୍ଘଟଣାରେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କଳାଶ୍ରୀ ବସ୍ ଷ୍ଟାଣ୍ତ ନିକଟ ଗୋବଣ୍ତିଆ ଗ୍ରାମର ଶୁକଦେବ ଦାସ (୭୨) ଓ ମାତାଜୀ ଦାସ (୭୨)ଙ୍କର ମୃତ୍ୟୁ ଘଟିଛି। ପାଞ୍ଚଜଣଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ସମ୍ବଲପୁର ସଦର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏହି ଖବର ଗାଁରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବାଳିଚନ୍ଦ୍ରପୁର ପୁଲିସଠାରୁ ଖବର ପାଇ ଆହତଙ୍କ କେତେକ ସଂପର୍କୀୟ ବୁର୍ଲା ଅଭିମୁଖେ ଯାତ୍ରା କରିଥିବା ଜଣାଯାଇଛି।

ଟ୍ରେନ୍‌ ଲାଇନ୍‌ ପାର ହେବା କାଳ ହେଲା : ଟ୍ରେନ୍‌ରେ କଟି ବାପ ଓ ୪ ବର୍ଷର ପୁଅ ମୃତ

ରୂପ୍‌ସା/ଗାନ୍ଧିଛକ : ଆଜି ସକାଳ ୧୦ଟା ସମୟରେ ରୂପ୍‌ସା ଷ୍ଟେସନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ‌ଟ୍ରେନ୍‌ ଲାଇନ୍‌ ପାର ହେଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରେନ୍‌ ଧକ୍କାରେ ବାପପୁଅଙ୍କ ଜୀବନ ଚାଲିଯାଇଛି। ରେଳବାଇ ପୁଲିସ ଏ ନେଇ ଏକ ମାମଲା ରୁଜୁ କରିଛି।

ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲା ଯଖପୁରା ଗ୍ରାମର ପତରାଜୁ ପ୍ରଧାନ(୩୬) ଓ ତାଙ୍କ ପୁଅ ପୂର୍ବ(୪) ରେଳ ଲାଇନ୍‌ରେ ଚାଲି ଚାଲି ପାଟପୁର ବଜାରକୁୁ ଯାଇଥିଲେ। ତେବେ ଏହି ସମୟରେ ଡାଉନ୍‌ ଲାଇନ୍‌ରେ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ରେଳବାଇ ପୁଲିସ ରେଳଧାରଣାରୁ ବାପପୁଅର ଶବ ଉଦ୍ଧାର କରି ଏକ ମାମଲା(ନଂ.୬/୧୯) ରୁଜୁ କରିଛି। ସୂଚନାଯୋଗ୍ୟ ଯେ, ପତରାଜୁ ଜଣେ ସାପୁଆ କେଳା ହୋଇଥିବା ବେଳେ ସେ ନିକଟସ୍ଥ ବଜାରରେ ସାପ ଖେଳ ଦେଖାଇ ଗୁଜୁରାଣ ମେଣ୍ଟାଉଥିଲେ।

ସମ୍ବନ୍ଧିତ ଖବର