ଏନ୍‌ଆଇଟିରେ ଗୋଷ୍ଠୀ କନ୍ଦଳର ପରିଣାମ : ୨ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ବନ୍ଦ

ରାଉରକେଲା : ଅଧ୍ୟାପକ ଓ ଭିତ୍ତିିଭୂମିର ଅଭାବ ନୁହେଁ, ଗୋଷ୍ଠୀ କନ୍ଦଳ କାରଣରୁ ହିଁ ରାଉରକେଲା ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି)ରେ ଥିବା ଦୁଇଟି ବହୁ ଚାହିଦା ଥିବା ଏମ୍‌ଟେକ୍‌ ପାଠ୍ୟକ୍ରମ ବନ୍ଦ ହୋଇଛି ବୋଲି ଚର୍ଚ୍ଚା ହେଉଛି। ୨ ପାଠ୍ୟକ୍ରମ ହେଉଛି ଆନାଲିଟିକ୍ସ ଆଣ୍ଡ୍‌ ଡିସିସନ୍‌ ସାଇନ୍‌ସେସ୍‌ ଓ ସେଫ୍‌ଟି ଇଂଜିନିୟରିଂ।

ରାଉରକେଲା ଏନ୍‌ଆଇଟିରେ ଆନାଲିଟିକ୍ସ ଆଣ୍ଡ୍‌ ଡିସିସନ୍‌ ସାଇନ୍‌ସେସ୍‌ ଏମ୍‌ଟେକ୍‌ ପାଠ୍ୟକ୍ରମ ୨୦୧୫-୧୬ ଶିକ୍ଷାବର୍ଷରୁ ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀଙ୍କ ଭିତରେ ଏହି ଏମ୍‌ଟେକ୍‌ ପାଠ୍ୟକ୍ରମଟିର ବହୁ ଚାହିଦା ରହିଥିଲା। ଦେଶର ହାତଗଣତି ଅଳ୍ପ କେତୋଟି ପ୍ରମୁଖ ଶିକ୍ଷା ଅନୁଷ୍ଠାନରେ ଏହା ରହିଛି। ଅନ୍ତର୍ଜାତୀୟ ନିଯୁକ୍ତି ବଜାରରେ ଏହାର ଚାହିଦା କାହିଁରେ କ’ଣ। ସେହିପରି ନିଯୁକ୍ତି ବଜାରରେ ବହୁ ଚାହିଦା ଥିବା ସେଫ୍‌ଟି ଇଂଜିନିୟରିଂ ଏମ୍‌ଟେକ୍‌ ପାଠ୍ୟକ୍ରମକୁ ମଧ୍ୟ ମାତ୍ର ୩ଟି ବ୍ୟାଚ୍‌ ପରେ ବନ୍ଦ କରା ଯାଇଛି। ୨୦୧୪ରେ ଏନ୍‌ଆଇଟିରେ ଆରମ୍ଭ ହୋଇଥିବା ଏହି ପାଠ୍ୟକ୍ରମରେ ସେହି ବର୍ଷକୁ ମିଶାଇ ୨୦୧୫ ଓ ୨୦୧୬ରେ ମୋଟ୍‌ ତିନିଟି ବ୍ୟାଚ୍‌ରେ ଛାତ୍ର ଗ୍ରହଣ କରା ଯାଇଥିଲା। ତା’ପରେ ୨୦୧୭ରେ ଆଉ ଆଡ୍‌ମିସନ୍‌ ହୋଇ ନ ଥିଲା।

ଗତ ଅଗଷ୍ଟ ୧୦ ତାରିଖରେ ଏନ୍‌ଆଇଟି ବୋର୍ଡ ଅଫ୍‌ ଗଭର୍ନର୍‌ସର ଅଧ୍ୟକ୍ଷ ସନ୍ତ୍ରୁପ୍ତ ବି ମିଶ୍ର ଓ ନିର୍ଦ୍ଦେଶକ ପ୍ରଫେସର ଅନିମେଶ ବିଶ୍ୱାସଙ୍କ ଉପସ୍ଥିତିରେ ଡିନ୍‌ (ଏକାଡେମିକ୍‌) ପ୍ରଫେସର କେ କେ ମହାପାତ୍ର ଗଣମାଧ୍ୟମକୁ କହିଥିଲେ ଯେ ଯୋଗ୍ୟ ଅଧ୍ୟାପକ, ଭିତ୍ତିଭୂମି ଓ ଗମନାଗମନର ଆବଶ୍ୟକୀୟ ସୁବିଧା ନ ଥିବାରୁ ରାଉରକେଲା ଏନ୍‌ଆଇଟି ଆନାଲିଟିକ୍ସ ଆଣ୍ଡ୍‌ ଡିସିସନ୍‌ ସାଇନ୍‌ସେସ୍‌ରେ ଏମ୍‌ଟେକ୍‌ ପାଠ୍ୟକ୍ରମକୁ ମାତ୍ର ଦୁଇଟି ବ୍ୟାଚ୍‌ ପରେ ବନ୍ଦ କରିବାକୁ ବାଧ୍ୟ ହୋଇଛି। ପରେ ହୁଏତ ତା’କୁ ପୁଣି ଆରମ୍ଭ କରା ଯାଇପାରେ! କିନ୍ତୁ ଏହି ଏମ୍‌ଟେକ୍‌ ପାଠ୍ୟକ୍ରମ ବନ୍ଦ ହେବାର ପ୍ରକୃତ କାରଣ ଭିନ୍ନ ବୋଲି ଆଲୋଚନା ହେଉଛି। ରାଉରକେଲା ଏନ୍‌ଆଇଟି ଭିତରେ ଚାଲିଥିବା ତୀବ୍ର ଗୋଷ୍ଠୀ କନ୍ଦଳ କାରଣରୁ ଏପରି ଘଟିଛି ବୋଲି କୁହା ଯାଉଛି। ସମାନ କାରଣରୁ ବହୁ ଚାହିଦା ଥିବା ସେଫ୍‌ଟି ଇଂଜିନିୟରିଂ ଏମ୍‌ଟେକ୍‌ ପାଠ୍ୟକ୍ରମକୁ ମଧ୍ୟ ଏନ୍‌ଆଇଟି ବନ୍ଦ କରି ଦେଇଛି।

ସମ୍ବନ୍ଧିତ ଖବର