ହାତୀ ଘର ଭାଙ୍ଗି ଦେବାରୁ କାନ୍ଥ ପଡ଼ି ସରପଞ୍ଚଙ୍କ ମାଆ ଓ ଭାଣିଜୀ ମୃତ; ବାପା ଆହତ

ସମ୍ବଲପୁର: ମଙ୍ଗଳବାର ରାତିରେ ଯୁଯୁମୁରା ଥାନା ଅନ୍ତର୍ଗତ ଧାମା ଫରେଷ୍ଟ୍ ରେଞ୍ଚ୍ ଅଧୀନ କୋଲଗାଁ ଠାରେ ଏକ ଜଙ୍ଗଲୀ ହାତୀ ଆକ୍ରମଣଜନିତ ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି ।

ମୃତବ୍ୟକ୍ତିମାନେ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କେଶପାଲି ଗ୍ରାମପଞ୍ଚାୟତର ସରପଞ୍ଚ ଉମାକାନ୍ତ ମିର୍ଦାଙ୍କ ୬୫ ବର୍ଷୀୟ ମାଆ ଊର୍ମିଳା ଓ ୧୨ ବର୍ଷୀୟ ଭାଣିଜୀ ରଶ୍ମିତା ।

ପ୍ରାପ୍ତ ସୂଚନା ଅନୁସାରେ, ସରପଞ୍ଚଙ୍କ ବାପାମାଆ ଓ ଭାଣିଜୀ ତାଙ୍କ ମାଟିଗାରା ଦିଆଯାଇଥିବା ଇଟାକାନ୍ଥ ଘରର ଗୋଟିଏ ବଖରାରେ ଶୋଇଥିଲେ । ରାତି ପ୍ରାୟ ୨ଟା ବେଳେ ଗୋଟାଏ ଜଙ୍ଗଲୀ ହାତୀ ଆସି ସେ ଘରକୁ ଭାଙ୍ଗି ପକାଇଲା । ଫଳରେ ଘର ଭିତରେ ଶୋଇଥିବା ତିନିଜଣଙ୍କ ଉପରେ କାନ୍ଥ ଭାଙ୍ଗିପଡ଼ିଥିଲା । ସାଇପଡ଼ିଶାମାନେ ତୁରନ୍ତ ତିନିଜଣଙ୍କୁ ଭଙ୍ଗାଘରୁ ଉଦ୍ଧାର କରି ଯୁଯୁମୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଊର୍ମିଳା ଓ ରଶ୍ମିତା ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ ।

ଗରୁତର ଆହତ ହୋଇ ଅସୁସ୍ଥ ହୋଇପଡ଼ିଥିବା ସରପଞ୍ଚଙ୍କ ବାପା କନ୍ଧ ମିର୍ଦାଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଏ ବିଷୟରେ ଅବଗତ ହେବା ପରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର