ଦୁଇଟି ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଦୁଇ ବାଇକ୍‌ ଆରୋହୀ ମୃତ, ଅନ୍ୟ ଜଣେ ଆହତ

ଢେଙ୍କାନାଳ: ସୋମବାର ପୂର୍ବାହ୍ନରେ ଢେଙ୍କାନାଳ ସହର ଉପକଣ୍ଠ ୫୫ ନମ୍ବର ଜାତୀୟ ରାଜପଥର ବାଇପାସ୍‌ରେ ଗୋଟାଏ ଟ୍ରକ୍‌ ଦୁଇଟି ବାଇକ୍‌କୁ ଧକ୍କା ଦେବାରୁ ଦୁଇ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି।

ପ୍ରଥମ ବାଇକ୍‌ରେ ଓଡ଼ପଡ଼ା ବ୍ଲକ୍‌ ଅନ୍ତର୍ଗତ ସିମିନଇ ଗ୍ରାମର ପ୍ରଦୀପ ସାହୁ ଏବଂ ତାଙ୍କ ପତ୍ନୀ ସୁମିତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଘରକୁ ଫେରୁଥିଲେ। କୋରିହାଁ ଛକ ଥିବା ସ୍ପିଡ୍‌ବ୍ରେକର୍‌ ପାଖରେ ସେମାନଙ୍କ ବାଇକ୍‌ର ଗତି ଧୀର ହୋଇଥିବା ବେଳେ ପଛପଟୁ ଆସୁଥିବା ଗୋଟାଏ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଚାଳକ ପ୍ରଦୀପ୍‌ ବାଇକ୍‌ରୁ ଛିଟିକି ପଡ଼ିଲେ ଏବଂ ସୁମିତ୍ରାଙ୍କ ଅଣ୍ଟା ଉପରେ ଟ୍ରକ୍‌ ଚଢ଼ି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଲା। ପ୍ରଦୀପ ନିରାପଦ ଅଛନ୍ତି।

ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଦ୍ରୁତ ବେଗରେ ଘଟଣାସ୍ଥଳରୁ ପଳାଉ ଥିବା ବେଳେ ଉତ୍କଳ ଆଜ୍‌ବେଷ୍ଟସ୍‌ ସମ୍ମୁଖରେ ଦୁଇଜଣ ଆରୋହୀ ଯାଉଥିବା ଅନ୍ୟ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ସେଥିରେ ଯାଉଥିବା ସୁରପ୍ରତାପପୁର ଅଞ୍ଚଳର ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଲା। ସେ ବାଇକ୍‌ର ଅନ୍ୟ ଜଣେ ଆରୋହୀ ଯମୁନାକୋଟ ଗ୍ରାମର ୩୬ ବର୍ଷିୟ ଅନୀଲ ବାରିକଙ୍କ ଗୋଡ଼ ଉପରେ ଟ୍ରକ୍‌ଟି ଚଢ଼ିଗଲା।

ଭାପୁର ଫାଣ୍ଡି ପୁଲିସ ଅନୀଲଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ଦୁର୍ଘଟଣା ପରେ ପରେ ଦୁଇଟି ସ୍ଥାନରେ କିଛି ସମୟ ପାଇଁ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଟାଉନ୍‌ ଥାନା ଆଇଆଇସି ଜ୍ଞାନରଞ୍ଜନ ସାମଲ ଏବଂ ଏସ୍‌ପିପିଓ ଘଟଣାସ୍ଥଳକୁ ଯାଇ ଉତ୍ତ୍ୟକ୍ତ ଲୋକଙ୍କୁ ସାନ୍ତ୍ୱନା ଦେବା ପରେ ରାସ୍ତାରୁ ଅବରୋଧ ହଟିଥିଲା।

ମଧ୍ୟାହ୍ନ ବାରଟା ସୁଦ୍ଧା ସେ ରାସ୍ତାରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର