ନୀଳାଚଳ ଏକ୍ସପ୍ରେସ୍‌ରୁ ୯ଖଣ୍ଡ ହୀରା ସହ ୨ ବେପାରୀ ଗିରଫ

ପଶ୍ଚିମବଙ୍ଗରୁ ଧରିଲା ରେଳ ପୁଲିସ, ଜବତ ହୀରାର ଓଜନ ୯.୭୩୦ ଗ୍ରାମ

ବାଲେଶ୍ୱର : ଓଡ଼ିଶାରୁ ହୀରା କାରବାରର ଚେର ପଶ୍ଚିମବଙ୍ଗ ଯାଏଁ ଲମ୍ବିଛି। ପଶ୍ଚିମବଙ୍ଗର ହିଜିଳି ରେଳଷ୍ଟେସନରୁ ବୁଧବାର ସଂଧ୍ୟାରେ ନୀଳାଚଳ ଏକ୍ସପ୍ରେସ୍‌ରୁ ୨ ଜଣ ଓଡ଼ିଆ ହୀରା ବ୍ୟବସାୟୀ ଧରାପଡ଼ିବା ପରେ କାରବାରର ପର୍ଦ୍ଦାଫାଶ ହୋଇଛି। ଗିରଫ ଦୁହେଁ ହେଲେ; ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ ସାଜନପୁର ନିକଟ କେଶପୁର ଗ୍ରାମର ଅନାଦି ଚରଣ ମହାନ୍ତି (୫୫) ଓ ଅନୁଗୁଳ ଜିଲ୍ଲା ତାଳଚେର ଥାନା ଲକ୍ଷ୍ମୀବଜାରର ବାବୁଲା ଓରଫ୍‌ ବାବୁଲା ରଣା (୫୬)। ବାବୁଲା ଏବେ ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳର ଚୁଡ଼ାମିଲ୍‌ ନିକଟରେ ରହୁଥିବା ଜଣାପଡ଼ିଛି। ଉଭୟଙ୍କ ନାଁରେ କେସ୍‌ ନମ୍ବର ୪୮/୧୯ (ଧାରା ୩୭୯, ୪୧୧, ୪୧୩, ୪୧୪, ୩୪ ଆପିସି) ମୂଳେ ମାମଲା ରୁଜୁ ସହ କୋର୍ଟ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ, ବୁଧବାର ଅପରାହ୍ନରେ ସୋର ରେଳଷ୍ଟେସନରୁ ନୀଳାଚଳ ଏକ୍ସପ୍ରେସ୍‌ରେ ଅନାଦି ମହାନ୍ତି ଓ ବାବୁଲା ରଣା ଉଠିଥିଲେ। ତେବେ ଉଭୟ ବେଆଇନ୍‌ ଭାବେ କିଛିଖଣ୍ଡ ହୀରା ଧରି ଯାଉଥିବା ବିଶେଷ ସୂତ୍ରରୁ ଖଡ଼ଗପୁର ରେଳ ପୁଲିସକୁ ସୂଚନା ମିଳିଥିଲା। ଏହାପରେ ଖଡ଼ଗପୁରର ଆରପିଏଫ୍‌ର ଏକ ଟିମ୍‌ ଗଠନ କରାଯାଇ ସେମାନଙ୍କୁ ଧରିବା ପାଇଁ ଯୋଜନା କରାଯାଇଗଲା। ତେବେ ଗତକାଲି ସଂଧ୍ୟାରେ ନୀଳଚଳ ଏକ୍ସପ୍ରେସ୍‌ ଖଡ଼ଗପୁର ଷ୍ଟେସନରେ ପହଂଚିବା ପରେ ଉକ୍ତ ଟିମ୍‌ ଦୁଇ ହୀରା ବେପାରୀଙ୍କୁ ଧରିଥିଲା। ସେମାନଙ୍କଠାରୁ ଜବତ ହୋଇଥିବା ଚେନ୍‌ଯୁକ୍ତ ଏକ ନାଲି-ଧଳା ରଂଗର ବ୍ୟାଗରୁ ୯ ଖଣ୍ଡ ହୀରା ବାହାରିଥିଲା ଯେଉଁଥିରେ କୋଲକାତା ସାର ହରିଓମ୍‌ ଗୋଏଁକା ଷ୍ଟ୍ରିଟ୍‌‌-୩୧ରେ ଥିବା ପିସି ଜୁଏଲର୍ସ ଆଣ୍ଡ ସନ୍‌ସ ପ୍ରିଣ୍ଟ ରହିଛି। ଏଥିସହ ଅଭିଯୁକ୍ତମାନଙ୍କ ଠାରୁ ୩ଟି ମୋବାଇଲ, ଗୋଟିଏ ଏଟିଏମ କାର୍ଡ ଜବତ କରାଯାଇଛି। ତେବେ ଜବତ ହୋଇଥିବା ୯ଟି ହୀରାଖଣ୍ଡ ୪୮କ୍ୟାରେଟ୍‌ର ହୋଇଥିବା ବେ‌େଳ ଏହାର ଓଜନ ୦୯.୭୩୦ ଗ୍ରାମ ଥିବା ତଦନ୍ତ ବେହେରା ଜଣାଯାଇଛି। ତେବେ ଏହା କେଉଁଠୁ ଓ କାହିଁକି ନିଆଯାଉଥିଲା ସେନେଇ ସେମାନେ ପୁଲିସକୁ କୌଣସି ପ୍ରମାଣ ‌କିମ୍ବା ଆବଶ୍ୟକ କାଗଜପତ୍ର ଦେଖ‌ାଇ ପାରିନଥିଲେ। ତେବେ ଏହା ବେଆଇନ୍‌ ତଥା ଚୋରା ହୀରା କାରବାର ବୋଲି ପୁଲିସ ସନ୍ଦେହ କରିବା ସହ ଅଧିକ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର