ଆନନ୍ଦପୁର : ନଦୀରେ ବୁଡ଼ି ୨ ମୃତ

ଆନନ୍ଦପୁର : ନିୟମ ଉଲ୍ଲଂଘନ କରି ମାତ୍ରାଧିକ ଖୋଳାଯାଇଥିବା ବାଲିଘାଟ କାଳ‌ ହେଲା। ସେହି ଗଭୀର ପାଣିରେ ବୁଡ଼ିଯାଇ ଜଣେ ନାବାଳକର ଜୀବନ ଚାଲିଗଲା। ଘସିପୁରା ଥାନା ଅମାରଙ୍ଗ ବାଲିଘାଟ ନିକଟରେ ବୈତରଣୀ ନଦୀରେ ଆଜି ଏହି ଅଘଟଣ ଘଟିଛି। ମୃତ ବାଳକ ହେଲେ ଧକୋଠା ପଞ୍ଚାୟତ ବଡ଼ଏକତାଳି ଗ୍ରାମର ପ୍ରେମାନନ୍ଦ ଖଟୁଆ(୮)। ପ୍ରେମାନନ୍ଦ ଅମାରଙ୍ଗ ଗ୍ରାମରେ ମାମୁଘରେ ରହି ପଢୁଥିଲା। ଆଜି ଅପରାହ୍‌ଣ ସାଢ଼େ ଦୁଇଟାବେଳେ ଜଣେ ସାଙ୍ଗଙ୍କ ସହିତ ନଦୀକୁ ଯାଇଥିବାବେଳେ ବୁଡ଼ି ଯାଇଥିଲେ। ଖବରପାଇ ଘରଲୋକ ଆସି କିଛି ସମୟପରେ ଖୋଜାଖୋଜି କରି ପ୍ରେମାନନ୍ଦଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାକୁ ନିଆଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରେମାନନ୍ଦ ବଡ଼ଏକତାଳି ଗ୍ରାମର କୈଳାସ ଖଟୁଆଙ୍କ ଏକମାତ୍ର ପୁଅ।

‌‌େସହିପରି ଯାଜପୁର ସଦର ଥାନା ଭୂଇଁପୁର ପଞ୍ଚାୟତ ଗୋପାଳପୁର ଗାଁରେ ଖରସ୍ରୋତା ନଦୀ‌ରେ ବୁଡ଼ି ଜଣେ ସ୍କୁଲ ଛାତ୍ରର ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ର ଏହି ଗ୍ରାମର ଶରତ ଦାସଙ୍କ ପୁଅ ପିନାକୀ ରଞ୍ଜନ(୧୧)। ଆଜି ଶନିବାର ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ପିନାକୀ ସ୍କୁଲ୍‌ରୁ ଫେରି ସାଙ୍ଗମାନଙ୍କ ସହ ଘର ପାଖରେ ଥିବା ଖରସ୍ରୋତା ନଦୀକୁ ଗାଧେଇବାକୁ ଯାଇଥିଲା। ବିଳମ୍ବ ହେବାରୁ ତାଙ୍କ ପରିବାର ଲୋକେ ନଦୀକୁ ଯାଇ କୂଳରେ ପୁଅର ପୋଷାକ ପଡ଼ିଥିବା ଦେଖିବାକୁ ପାଇଥିଲେ। ଗାଁ ଲୋକଙ୍କ ସହାୟତାରେ ଖୋଜାଖୋଜି କରି ନଦୀରୁ ପିନାକୀକୁ ଉଦ୍ଧାର କରାଯାଇଥିଲା। ସଙ୍ଗେସଙ୍ଗେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ପିନାକୀକୁ ଡାକ୍ତର ମୃତ ଘୋଷଣା କରିଥିଲେ। ପିନାକୀର ବାପା ଓ ମା’ ଦୁହେଁ ଦୃଷ୍ଟିହୀନ। ତାର ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର