ଟ୍ରକ୍‌ ଧକ୍କାରେ ଗୋଟିଏ ପରିବାରର ୨ ମୃତ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ସମ୍ମୁଖରେ ଆଜି ଟ୍ରକ ଧକ୍କାରେ ଗୋଟିଏ ପରିବାରର ୨ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଓଡାପଡା ବ୍ଲକ ବଣିଆପଡା ଗ୍ରାମର ଅନାଦି ନାୟକ (୩୨) ନିଜ ହିରୋହୋଣ୍ଡା ମଟର ସାଇକେଲ୍‌ (ଓଡି୦୬ସି୦୭୭୬)ରେ ପତ୍ନୀ ପ୍ରଭାସିନୀ (୨୬), ୫ ବର୍ଷର ପୁଅ ଅଭିଷେକ, ୨ ବର୍ଷର ଝିଅ ଅନସୂୟା ଏବଂ ୮ ମାସର ଝିଅ ଆରୁଷିକୁ ବସାଇ ଆଜି ପୂର୍ବାହ୍ନରେ କାମାକ୍ଷାନଗର ବ୍ଲକ ଅଁଳାବେରେଣୀସ୍ଥିତ ଶ୍ୱଶୁର ଘରକୁ ଆସୁଥିଲେ। ସଦର ଥାନା ସମ୍ମୁଖ ହମ୍ପସ୍‌ରେ ଏକ ଟ୍ରକ ତାଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପୁଅ ଅଭିଷେକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ବାଇକ୍‌ରୁ ତଳେ ପଡି ଖଣ୍ଡିଆଖାବରା ହୋଇଥିଲେ। ଅନାଦି ଏବଂ ତାଙ୍କ ଦୁଇଝିଅଙ୍କର କୌଣସି କ୍ଷତି ହୋଇନଥିବା ବେଳେ ପତ୍ନୀ ପ୍ରଭାସିନୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା। ତେବେ କଟକଠାରେ ପହଞ୍ଚିବା ବେଳକୁ ପ୍ରଭାସିନୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଦୁର୍ଘଟଣା ପରେ ଟ୍ରକ୍‌ଟି ସେଠାରୁ ପଳାଇଥିଲା।

ସମ୍ବନ୍ଧିତ ଖବର