ଆଉ ୨ ଚାଷୀଙ୍କ ଆତ୍ମହତ୍ୟା

ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଦିନକ ପୂର୍ବରୁ ଗଞ୍ଜାମରେ ବିଷ ପିଇଲେ ଚାଷୀ

କୁକୁଡ଼ାଖଣ୍ଡି/ଖୋର୍ଧା : ପ୍ରଥମେ ମରୁଡି, ପରେ ଚକଡ଼ା ଉଜାଡ଼ିଥିଲା ଫସଲ। ଏବେ ଅଦିନିଆ ବର୍ଷା ଦାଉ ସାଜିଛି। ଲଘୁଚାପଜନିତ ବର୍ଷାରେ ହୋଇଥିବା ଫସଲ କ୍ଷତି ସହି ନପାରି ଆଜି ଗୋଟିଏ ଦିନରେ ଦୁଇ ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜଣେ ଚାଷୀ ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ରାଜେନ୍ଦ୍ର ଭୂୟାଁ। ଅନ୍ୟଜଣେ ହେଉଛନ୍ତି, ଖୋର୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ବଡ଼ସାହିର ତ୍ରିନାଥ ପ୍ରଧାନ ବୋଲି ଜଣାପଡ଼ିଛି।

କୁକୁଡ଼ାଖଣ୍ଡି ବ୍ଲକ ବଉଳଝୋଳି ଗ୍ରାମର ଚାଷୀ ରାଜେନ୍ଦ୍ର ଭୂୟାଁ (୪୮) କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଗୋଟିଏ ଦିନ ପୂର୍ବରୁ ଗଂଜାମ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।

ଭାଗଚାଷୀ ରାଜେନ୍ଦ୍ର ଗତକାଲି ରାତିରେ କୀଟନାଶକ ପିଇ ଦେଇଥିଲେ। ଆଜି ସକାଳେ ତାଙ୍କୁ ଶେଯରେ ମୃତାବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡିକାଲ ପଠାଇଥିଲା। କୀଟନାଶକ ଔଷଧ ପକେଟ୍‌କୁ ମଧ୍ୟ ଜବତ କରାଯାଇଛିା

ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେବା ସହ କ୍ଷତିପୂରଣ ଦାବିରେ କଂଗ୍ରେସ ନେତା ଓ କର୍ମୀ ମାନେ କୁକୁଡ଼ାଖଣ୍ଡି-ବଉଳଝୋଳି ରାସ୍ତା ଅବରୋଧ କରିଥିଲେ। ପରେ ତହସିଲଦାର , ବିଡିଓ, ସଦର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମୃତ ରାଜେନ୍ଦ୍ରଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା।

ରାଜେନ୍ଦ୍ର ଚାରି ଏକର ଜମିରେ ଭାଗଚାଷ କରୁଥିଲେ। ଏଥିପାଇଁ ସେ ଚଳିତ ବର୍ଷ ବ୍ୟାଙ୍କ୍‌ ଓ ଗ୍ରାମର କିଛି ସାହୁକାରଙ୍କଠୁ ୠଣ ଆଣିଥିଲେ। ସେହିପରି ଗ୍ରୁପ୍‌ ଲୋନ୍‌ ବି ପାଇଥିଲେ। ଚକଡ଼ା ପୋକ ଯୋଗୁଁ ତାଙ୍କର କିଛି ଧାନ ଫସଲ ନଷ୍ଟ ହୋଇଥିଲା। ଅଗାଡ଼ି ଧାନକୁ ବିଲରୁ ସେ କାଟି ଦେଇଥିଲେ। ଲଘୁଚାପ ବର୍ଷା ପୂର୍ବରୁ ଗୋଟିଏ ଏକର ଜମିରୁ ପାଚିଲା ଧାନ କାଟି ବିଲରେ ରଖିଥିଲୋ ହେଲେ ବର୍ଷା ଆରମ୍ଭ ହୋଇଯିବାରୁ ତାହା ଖଳାକୁ ଆଣିପାରିନଥିଲେ ଓ ସେ ସେଇଠାରେ ନଷ୍ଟ ହୋଇଯାଇଥିଲା। ଅନ୍ୟ ବିଲରେ ବି ପାଣି ସୁଅ କାଟୁଥିବା ଦେଖି ରାଜେନ୍ଦ୍ର ଭାଙ୍ଗି ପଡ଼ିଥିଲେ। ଗତକାଲି ସନ୍ଧ୍ୟାରେ ପୁଣି ରାଜେନ୍ଦ୍ର ବିଲକୁ ଯାଇଥିଲେ। ଧାନ ନଷ୍ଟ ହୋଇ ଯାଇଥିବା ନେଇ ଘର ଲୋକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ଆଜି ସକାଳେ ତାଙ୍କୁ ନିଦରୁ ଉଠାବାରୁ ଆଉ ଉଠି ନଥିଲେ।

ସେହିପରି ଖୋର୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ସୁନ୍ଦରପୁର ପଞ୍ଚାୟତ ବଡ଼ସାହିର ତ୍ରିନାଥ ପ୍ରଧାନ ଆଜି ଅପରାହ୍‌ଣ ପ୍ରାୟ ୪ଟା ବେଳେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ, ତ୍ରିନାଥ ସେହି ଅଞ୍ଚଳର ଗଦା ସାମଲ, କୁବେର ଜଗଦ୍ଦେବ, ଭ୍ରମର ଜଗଦ୍ଦେବଙ୍କର ମୋଟ ୧୦ମାଣ ଜମିରେ ଭାଗ ଚାଷ କରିଥିଲେ। ଗତ ୪ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ସେ ଚାଷ କରିଥିବା ଜମିରେ ଆଣ୍ଠୁଏ ଉଚ୍ଚର ପାଣି ଜମିଯିବା ଫଳରେ ଧାନଗଛଗୁଡ଼ିକ ପଚିସଢ଼ି ନଷ୍ଟ ହୋଇଯାଇଛି। ବିଭିନ୍ନ ଲୋକଙ୍କଠାରୁ ଧାରକରଜ ଓ ସୋସାଇଟିରୁ ଋଣ ଆଣି ଚାଷ କରିଥିବା ତ୍ରିନାଥ କିପରି ଋଣ ଟଙ୍କା ଶୁଝିବେ, ସେଇ ଚିନ୍ତାରେ ଚାପଗ୍ରସ୍ତ ରହୁଥିଲେ। ଆଜି ସେ କ୍ଷେତରୁ ଅପରାହ୍‌ଣ ପ୍ରାୟ ୪ଟା ଫେରି ଘରେ ଆତ୍ମହତ୍ୟା କରିଥିଲେ। ତାଙ୍କ ପରିବାରକୁ ସରକାର ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ତଥା ବିିଭିନ୍ନ ମହଲରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର