ଡ୍ରୋନ କ୍ୟାମେରାରେ ଶ୍ରୀମନ୍ଦିରର ଭିଡିଓ ଉତ୍ତୋଳନ କରି ଦୁଇ ବିଦେଶୀ ଅଟକ

ପୁରୀ: ଡ୍ରୋନ୍‌ କ୍ୟାମେରା ବ୍ୟବହାର କରି ପୁରୀ ଶ୍ରୀମନ୍ଦିରର ଭିଡ଼ିଓ ଚିତ୍ର ଉଠାଉଥିବା ଦୁଇଜଣ ବିଦେଶୀଙ୍କୁ ସିଂହଦ୍ୱାର ଥାନା ପୁଲିସ ଅଟକ ରଖି ପଚରା ଉଚରା କରୁଛି।
ସୂଚନା ଯୋଗ୍ୟ ଯେ ଆଜି ଦୁଇଜଣ ବିଦେଶୀ ବଡ଼ଦାଣ୍ଡରେ ଥିବା ରାଧାବଲ୍ଲଭ ମଠର ଛାତ ଉପରେ ଠିଆ ହୋଇ ଡ୍ରୋନ କ୍ୟାମେରା ଯୋଗେ ଶ୍ରୀମନ୍ଦିରର ଚିତ୍ର ଉତ୍ତୋଳନ କରୁଥିଲେ। ତେବେ ଏହି ବିଦେଶୀ ଭିଡିଓ ଚିତ୍ର ଉତ୍ତୋଳନ କରିବା ସମୟରେ କେତେକ ସ୍ଥାନୀୟ ଲେେକେ ଦେଖିଥିଲେ। ଏପରିକି ଶ୍ରୀମନ୍ଦିର ଉପରେ ଉଡ଼ୁଥିବା ଡ୍ରୋନ୍‌ କ୍ୟାମେରକୁ ଦେଖିବା ପରେ ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ସଙ୍ଗେ ସଙ୍ଗେ ଏ ନେଇି ପୁଲିସକୁ ସୂଚନା ଦିଆଯିବା ପରେ ସିଂହଦ୍ୱାର ପୁଲିସ ଏହି ଦୁଇ ବିଦେଶୀଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି।


ସୂଚନା ଯୋଗ୍ୟ ଯେ ଅତୀତରେ ମଧ୍ୟ ଏହିପରି ଭାବେ ଡ୍ରୋନ୍‌ କ୍ୟାମେରାରେ ଶ୍ରୀମନ୍ଦିରର ଭିଡ଼ିଓ ଉତ୍ତୋଳନ କରାଯାଇ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦ ଦେଖା ଦେଇଥିଲା। ସେହିପରି ନିକଟରେ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ମଧ୍ୟ ଭାଇରାଲ ହେବା ପରେ ଏହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ଏହା ସତ୍ତ୍ୱେ ପୁଣି ଥରେ ଶ୍ରୀମନ୍ଦିର ଉପରେ ଡ୍ରୋନ କ୍ୟାମେରା ଉଡ଼ିବୁଲିବା ଘଟଣା ଭକ୍ତ ଓ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁଙ୍କୁ ଅସନ୍ତୁଷ୍ଟ କରିଛି।

ସମ୍ବନ୍ଧିତ ଖବର