ବ୍ରାହ୍ମଣୀରେ ବୁଡ଼ିଗଲେ ଦୁଇ ସାଙ୍ଗ

କଣିହାଁ : ଅନୁଗୁଳ ଜିଲ୍ଲା ସମଲ ବ୍ୟାରେଜ ତଳେ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଆଜି ଦୁଇ ଯୁବକ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ଏ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, କଣିହାଁ ବ୍ଲକ ସମଲ ବ୍ୟାରେଜ ଅଞ୍ଚଳରେ ରହୁଥିବା ସ୍ୱର୍ଗତ ବିନୋଦ ନାଏକ ପୁଅ ବିଶ୍ୱରଂଜନ ନାଏକ ଓରଫ ଲାଲା (୨୬) ଓ କେଦାର ମହାରଣାଙ୍କ ପୁଅ କାହ୍ନୁଚରଣ ମହାରଣା (୨୬) ତାଙ୍କର ଜଣେ ସାଙ୍ଗ ବିଜୟ ମହାନ୍ତିଙ୍କ ସହିତ ଆଜି ଅପରାହ୍‌ଣ ୨ଟାବେଳେ ବ୍ରହ୍ମଣୀ ନଦୀର କୁଲେଇ ଗାଁ ଘାଟକୁ ଯାଇଥିଲେ। ସେମାନେ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ଗଭୀର ପାଣିରେ ବିଶ୍ୱରଂଜନ ଓ କାହ୍ନୁଚରଣ ବୁଡ଼ି ଯାଇଥିଲେ। ବିଜୟ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ବହୁ ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା। ତେବେ ବିଜୟ ପହଁରା ଶିଖିଥିବାରୁ ସେ ହିଁ କେବଳ କୂଳରେ ପହଞ୍ଚିବାକୁ ସମର୍ଥ ହୋଇଥିଲେ। ଯୁବକ ୩ ଜଣ ଯେଉଁଠି ଗାଧୋଉଥିଲେ, ତାହା କୂଳରେ ରହିଛି ଓପିଟିସିଏଲ୍‌ (ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ଼) ପ୍ଲାଣ୍ଟ। ଏଠାରେ ୨୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦିତ ହେଉଛି। ପ୍ଲାଣ୍ଟର ବଳକା ପାଣି ନଦୀରେ ଛଡ଼ାଯାଉଛି। ପ୍ରାୟ ୫୦ ଫୁଟ ଓସାରରେ ପାଣି ବ୍ରାହ୍ମଣୀ ନଦୀରେ ମିଶୁଛି। ଏଠାରେ ନଦୀରେ ପ୍ରାୟ ୨୦ ଫୁଟ ଗଭୀର ପାଣି ଥିବାବେଳେ ସ୍ରୋତ ଅତି ପ୍ରଖର ରହିଛି। ଏ ପରିସ୍ଥିତିରେ ଯୁବକମ‌ାନେ ଗଭୀର ପାଣିରେ ଗାଧୋଇବା କାଳ ହେଲା ବୋଲି ସାଧାରଣରେ ଆଲୋଚନା ହେଉଛି। ସ୍ଥାନୀୟ ଲୋ‌େକ ନଦୀରେ ବହୁ ଖୋଜାଖୋଜି କରି ବିଶ୍ବରଂଜନ ଓ କାହ୍ନୁୁଚରଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ସମଲ ଥାନା ପୁଲିସ ଶବ ଜବତ କରିବା ସହ ଏ ସଂପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର