ଦୁଇ ଓଡ଼ିଆ ଝିଅ ଆମେରିକାରେ ନିର୍ଯାତିତ!

ଥାନାରେ ମାମଲା, ପୁଲିସର ନୋଟିସ୍

ସମ୍ବଲପୁର : ସମ୍ବଲପୁର ସହରର ଭିନ୍ନ ଭିନ୍ନ ୨ଟି ସ୍ଥାନର ଝିଅ ଆମେରିକାରେ ବାହା ହୋଇଥି‌େଲ। ଜ୍ବାଇଁ ଆମେରିକାରେ ବଡ଼ ଚାକିରିଆ। ତେଣୁ ଝିଅର ଜୀବନ ଖୁସି‌େର କଟିବ ବୋଲି ସେମାନଙ୍କ ପରିବାର ଲୋକ ଭାବିଥିଲେ। କିନ୍ତୁ ବାସ୍ତବରେ ଘଟିଲା କିଛି ଭିନ୍ନ। ଆମେରିକାରେ ସ୍ବାମୀ ଓ ଶାଶୂ-ଶ୍ବଶୁରଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଦୁଇ ମହିଳା ସେମାନଙ୍କ ବାପ ଘରକୁ ଚାଲି ଆସିବା ପରେ ସମ୍ବଲପୁର ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ମହିଳା ଥାନା ୨ଟି ଭିନ୍ନ ଭିନ୍ନ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ମୁତାବକ, ସ୍ଥାନୀୟ ଗୋପାଲମାଲର ଶୁଭଶ୍ରୀ ପଣ୍ଡା(୨୯) ଗତ ୨୦୧୨ ମସିହାରେ ବୁଢ଼ାରଜା ଏକ୍‌ଜୁକ୍ୟୁଟିଭ କଲୋନୀର ବିଶ୍ବଜିତ ହୋତାଙ୍କୁ ବିବ‌ାହ କରିଥିଲେ। ବିବାହ ପରେ ବିଶ୍ବଜିତ ପତ୍ନୀଙ୍କୁ ନେଇ ଆମେରିକାର କଲମ୍ବସ ଇଣ୍ଡିଆନାକୁ ଚାକିରି ପାଇଁ ଯାଇଥିଲେ। ଇତିମଧ୍ୟରେ ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ହୋଇସାରିଥିଲା। କିନ୍ତୁ ସବୁବେଳେ ସ୍ବ‌ାମୀ ବିଶ୍ବଜିତ ଏବଂ ଶାଶୂ-ଶ୍ବଶୁର ବାପ ଘରୁ ସମ୍ପତ୍ତି ଆଣିବା ସହ ‌ଅଧିକ ଯଉତୁକ ଆଣିବା ପାଇଁ କହୁଥିଲେ ଓ ଅକଥନୀୟ ଅତ୍ୟାଚାର ଦେଉଥିଲେ ବୋଲି ଶୁଭଶ୍ରୀ ଅଭିଯୋଗ କରିଛନ୍ତି। ଆମେରିକାରେ ନିର୍ଯାତନା ଅସହ୍ୟ ହେବା ପରେ ଗତ ଜୁଲାଇ ମାସରେ ଶୁଭଶ୍ରୀ କୌଣସି ପ୍ରକାରେ ସେଠାରୁ ଚାଲି ଆସିଥିଲେ। ଏନେଇ ମହିଳା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରିବା ସହ ଏକ ମାମଲା ରୁଜୁ କରିଛି। ବିଶ୍ବଜିତ ଓ ତାଙ୍କ ବାପା-ମା’ ନିକଟକୁ ପୁଲିସ୍ ନୋଟିସ ମଧ୍ୟ ପଠାଇଥିବା ଜଣାପଡ଼ିଛି।

ଧନକଉଡ଼ାର ଦିବ୍ୟା ଦେବଯାନୀ ପାତ୍ର ୨୦୧୬ ନଭେମ୍ବର ୨୩ ତାରିଖରେ ବାଲେଶ୍ବର ଆଲପୁରର ଜ୍ୟୋତିପ୍ରକାଶ ମହାଲିକଙ୍କୁ ବିବାହ କରିଥିଲେ। ‌େଜ୍ୟାତିପ୍ରକାଶ ଆମେରିକା ଶକ୍ତି ବିଭାଗରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବାରୁ ଦିବ୍ୟାଙ୍କୁ ମଧ୍ୟ ସେଠାକୁ ଯିବାକୁ ପଡ଼ିଥିଲା। ଦିବ୍ୟାଙ୍କ କରିଥିବା ଅଭିଯୋଗ ଅନୁସାରେ, ତାଙ୍କ ପରିବାରର କିଛି ସମ୍ପତ୍ତି ବାଲେଶ୍ବରରେ ରହିଥିଲା, ଯାହାକୁ ଜ୍ୟୋତିପ୍ରକାଶଙ୍କ ନାମରେ କରିବାକୁ ଶାଶୂ ଘର ପକ୍ଷରୁ ବାରମ୍ବାର ଚାପ ପ୍ରୟୋଗ କରାଯାଉଥିଲା। ଅପରପ‌େକ୍ଷ, ଦିବ୍ୟା ଜଣେ ଥ‌ାଇରଏଡ ରୋଗୀ ହୋଇଥିବାରୁ ପିଲା ଜନ୍ମ କରିପାରିବେ ନାହିଁ କହି ଶାଶୂ ଘର ପକ୍ଷରୁ ଲଗାତାର ଭାବେ ନିର୍ଯାତନା ଦିଅ‌ାଯାଇଥିଲା। ଏହାପରେ ଦିବ୍ୟା ଆମେରିକାରୁ ଚାଲିଆସିଥିଲେ। ଏନେଇ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ବିବାହ ସମୟରେ ଦିଆଯାଇଥିବା ଜିନିଷ ପତ୍ର ଜବତ କରିବା ସହ ଜ୍ୟୋତିପ୍ରକାଶଙ୍କ ପରିବାରକୁ ନୋଟିସ୍ ପଠାଇଛି।

ସମ୍ବନ୍ଧିତ ଖବର