ଥାନାରେ ଦୁଇ ଯୁବତୀଙ୍କୁ ନିସ୍ତୁକ ମାଡ଼! : ଭିଡିଓ ଭାଇରାଲ୍‌ ହେଲା ପରେ ହଇଚଇ, ଆଇଆଇସିଙ୍କୁ ଥାନା ଦାୟିତ୍ୱରୁ ଅପସାରଣ

ଏଡିସିପି କରିବେ ତଦନ୍ତ, ଡିସିପିଙ୍କୁ ଫେରାଦ ହେଲେ ବିଜେପି, କଂଗ୍ରେସ

ଭୁବନେଶ୍ୱର : ଥାନାରେ ପାଇପ୍‌ରେ ପୁଲିସ୍‌ ନିସ୍ତୁକ ପିଟିଲା। ପିଟି ପିଟି ଅଚେତ କରିଦେଲା। ତଥାପି ମନ ଶାନ୍ତି ହେଲାନି। ପିଟିବା ଘଟଣା କାଳେ ଆମେ ବାହାରେ କହିଦେବୁ, ସେଥି ପାଇଁ ସିଧା ଜେଲ୍‌ ପଠାଇଦେଲେ। ଭୁବନେଶ୍ୱର ଡିସିପିଙ୍କ ନିକଟରେ ଏମିତି ଅଭିଯୋଗ ଆଣିଛନ୍ତି ନୂଆପଲ୍ଲୀ ବେହେରା ସାହିର ଦୁଇ ଭଉଣୀ ଗାୟତ୍ରୀ ମଲ୍ଲିକ ଓ ଇତିଶ୍ରୀ ମଲ୍ଲିକ। ରାଜଧାନୀର ନୂଆପଲ୍ଲୀ ଥାନାରେ ଏହି ଘଟଣା ଘଟିଛି। ପାଞ୍ଚ ଦିନ ତଳେ ଘଟଣା ଘଟିଥିଲେ ବି ଆଜି ଉଭୟଙ୍କ ଦେହରେ ଏହି ମାଡ଼ ଚିହ୍ନର ଭିଡିଓ ଭାଇରାଲ୍‌ ହେଲା ପରେ ରାଜଧାନୀରେ ଚହଳ ସୃଷ୍ଟି ହୋଇଛି। ପୁଲିସ୍‌ର ଏପରି ବର୍ବରକାଣ୍ଡ ଧରାପଡ଼ିଗଲା ପରେ କମିସନରେଟ୍‌ ପୁଲିସ୍‌ ଅଡ଼ୁଆରେ ପଡ଼ିଯାଇଛି। ତତ୍‌କାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇ ଥାନା ଆଇଆଇସିଙ୍କୁ ଦାୟିତ୍ୱରୁ ଅପସାରଣ କରାଯାଇଛି। ଏହାସତ୍ତ୍ୱେ ରାଜନୀତି ଜୋର୍‌ ଧରିଛି।

ଜାଗାବାଡ଼ିକୁ ନେଇ ନୂଆପଲ୍ଲୀ ବେହେରାସାହି ଅଞ୍ଚଳର ରାଜକିଶୋର ବେହେରା ଓ ଜମ୍ବେଶ୍ୱର ମଲ୍ଲିକଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉଭୟ ପକ୍ଷ ଏନେଇ ନୂଆପଲ୍ଲୀ ଥାନାରେ ମାମଲା କରିଥିଲେ। ଏହି ଘଟଣାରେ ଗତ ୬ ତାରିଖରେ ଜମ୍ବେଶ୍ୱର ମଲ୍ଲିକଙ୍କ ଦୁଇ ଝିଅ ଗାୟତ୍ରୀ ଓ ଇତିଶ୍ରୀ ଗିରଫ ହୋଇ ଜେଲ୍‌ ଯାଇଥିଲେ। ୧୦ ତାରିଖରେ ଉଭୟ ଅନ୍ତରୀଣ ଜାମିନ୍‌ରେ ଆସିଲା ପରେ ଘଟଣା ପଦାକୁ ଆସିଛି।

ସେମାନଙ୍କୁ ଥାନାରେ ଅକଥନୀୟ ନିର୍ଯାତନା ଦିଆଯାଇଥିବା ନେଇ ଦୁଇ ଭଉଣୀ ଡିସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେବେ ନୂଆପଲ୍ଲୀ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ଏହି ମାଡ଼ ଘଟଣାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପୁଲିସ୍‌ ସେମାନଙ୍କୁ ମାରି ନାହିଁ, ବରଂ ସେମାନେ ଥାନା ଭିତରେ ଦୁଇ ଜଣ ମହିଳା ଏଏସ୍‌ଆଇଙ୍କୁୁ ଟଣାଓଟରା କରି ମାଡ଼ ମାରିଥିଲେ। ସେମାନଙ୍କ ଦେହରେ ଯେଉଁ ମାଡ଼ ଚିହ୍ନ ଅଛି, ତାହା ସେମାନଙ୍କ ଗଣ୍ଡଗୋଳ ସମୟରେ ଘଟିଥାଇପାରେ ବୋଲି ଆଇଆଇସି ସଫେଇ ଦେଇଛନ୍ତି। ଅଭିଯୋଗକାରିଣୀ ଦୁଇ ଭଉଣୀ ପାଲଟା ଅଭିଯୋଗ କରିଛନ୍ତି, ଯଦି ରାଜକିଶୋରଙ୍କ ପରିବାର ଆମକୁ ମାଡ଼ ମାରିଥିଲେ, ତେବେ ସେମାନଙ୍କ ବିରୋଧରେ ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା?

ଅନ୍ୟପଟେ ପୁଲିସ କମିସନର ଓ୍ଵାଇବି ଖୁରାନିଆ ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଡିସିପି ରାଜକିଶୋର ପାଇକରାୟଙ୍କୁ ନିର୍ଦେଶ ଦେଇଛନ୍ତି। ସେହିପରି ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ଓ ଥାନାର ୨ ମହିଳା ସବ୍‌-ଇନ୍ସପେକ୍ଟରଙ୍କୁ ଦାୟିତ୍ୱରୁ ଅପସାରଣ କରାଯାଇଛି। କ୍ୟାପିଟାଲ ଥାନା ଅତିରିକ୍ତ ଆଇଆଇସି ଉମାକାନ୍ତ ପ୍ରଧାନଙ୍କୁ ସାମୟିକ ଭାବେ ଦାୟିତ୍ୱ ଦିଆଯାଇଛି।
ଏହି ଘଟଣାକୁ ତୀବ୍ର ବିରୋଧ କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଥାନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀଙ୍କ ନେତୃତ୍ୱରେ ଆଜି ଥାନା ଘେରାଉ କରାଯାଇଥିଲା। ଆନ୍ଦୋଳନକାରୀମାନେ ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହ ଥାନା ସମ୍ମୁଖରେ ଧାରଣାରେ ବସି ରହିଥିଲେ। ଡିସିପି ଅନୁପ ସାହୁ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ। ଯଦି କମିସନରେଟ୍‌ ପୁଲିସ୍‌ ଉପଯୁକ୍ତ ପଦକ୍ଷେପ ନ ନିଅନ୍ତି, ତେବେ ବିଜେପି ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବ ବୋଲି ଚେତାବନୀ ଦିଆଯାଇଛି।

ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ଏହି ଘଟଣାରେ ପୁଲିସ୍‌କୁ ସମାଲୋଚନା କରାଯାଇଛି। ବ୍ଲକ୍‌ କଂଗ୍ରେସ ସଭାପତି ଅଶୋକ ଦାସଙ୍କ ନେତୃତ୍ୱରେ କଂଗ୍ରେସ ପ୍ରତିନିଧି ଦଳ ନୂଆପଲ୍ଲୀ ଥାନାକୁ ଯାଇ ଘଟଣା ସମ୍ପର୍କରେ ଅନୁସନ୍ଧାନ କରିଥିଲେ। ଏହାପରେ ସେମାନେ ଡିସିପିଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ସମ୍ବନ୍ଧିତ ଖବର