ଦୁଇ ଶିଶୁ ଜୀବନ୍ତ ଦଗ୍ଧ ମାମଲା: ପରିବାରକୁ କ୍ଷତିପୂରଣ ପାଇଁ ମାନବାଧିକାର କମିସନଙ୍କ ନିକଟରେ ଆବେଦନ

କଟକ : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର କେଳାସାହିରେ ଅଗ୍ନିକାଣ୍ଡରେ ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ପୁଲିସ୍‌ ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଛି। ନିଆଁରେ ପୋଡିହୋଇ ଦୁଇ ଶିଶୁ ପ୍ରାଣ ହରାଇଥିବା ମୋଡିକାଲ୍‌ ରିପୋର୍ଟରୁ ଜଣାପଡିଛି। କିନ୍ତୁ ଏହି ଘଟଣା ପଛରେ କୌଣସି ଅପରାଧିକ କାର୍ଯ୍ୟ ନାହିଁ ବୋଲି ପୋଲିସ୍‌ ରିପୋର୍ଟ ସ୍ପଷ୍ଟ କରିଛି । ମୃତ ଶିଶୁଙ୍କ ବାପା ଓ ମା’ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ପିଲାମାନଙ୍କୁ ହରାଇ ସେମାନେ ସର୍ବସ୍ୱାନ୍ତ ହୋଇ ପଡିଛନ୍ତି। ଏପରି ପରିସ୍ଥିତିରେ ପୀଡିତ ପରିବାରକୁ ଆର୍ଥକି ସହାଯ୍ୟ ସରକାର ପ୍ରଦାନ କରିବା ଆବଶ୍ୟକ ବୋଲି ଆଇନଜୀବୀ ନିଶିକାନ୍ତ ମିଶ୍ର ଦର୍ଶାଇଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୬, ଅପ୍ରେଲ ୭ ବିଳମ୍ବିତ ରାତିରେ ହରିରାଜପୁର କେଳାସାହିରେ ଅଗ୍ନିକାଣ୍ଡ ଘଟି ଦୁଇ ବାଳିକା ବଉଳା ଓ ସୁଭଦ୍ରା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏଥିରେ ପିଲାଙ୍କର ମା ଲକ୍ଷ୍ମୀ ଦାଶ ଓ ଜେଜେ ବାପା ଗୁରୁତର ଆହତ ହୋଇଥିଲେ। ଏ ସମ୍ପର୍କରେ ଶ୍ରୀ ମିଶ୍ର ମାନବାଧିକାର କମିଶନଙ୍କ ନିକଟରେ ପିଟିସନ୍‌ ଦାଖଲ କରିଥିଲେ। କମିସନଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ ବୀର କିଶୋର ମିଶ୍ର ମାମଲାର ଶୁଣାଣି କରି ପୁଲିସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘଟଣାକୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଦଳିତ ବର୍ଗର ଏହି ପରିବାରଙ୍କୁ ଏପର୍ଯ୍ୟନ୍ତ କୌଣସି ସାହାଯ୍ୟ ମିଳିନାହିଁ ।

ସମ୍ବନ୍ଧିତ ଖବର