ସୀମାନ୍ତରେ ପୁଲିସ-ନକ୍ସଲ ଗୁଳି ବିନିମୟ : ୨ ହାର୍ଡକୋର ନକ୍ସଲ ମୃତ, ମହିଳା ନକ୍ସଲ ଗିରଫ

ମାଲକାନଗିରି : ଛତିଶଗଡ଼କୁ ଲାଗିଥିବା ମାଲକାନଗିରି ସୀମାନ୍ତରେ ପୁଣି ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ପୁଲିସକୁ ମିଳିଛି ବଡ଼ ସଫଳତା। ଏନକାଉଣ୍ଟରରେ ୨ ହାର୍ଡକୋର ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ନକ୍ସଲ ଗିରଫ ହୋଇଥିବା ସୂଚନା ମିଳିଛି। ମୃତ ନକ୍ସଲ ଦ୍ବୟଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ମଲିଙ୍ଗର ଏରିଆ କମିଟି ସଦସ୍ୟ ଦେବା ଏବଂ ମୁୟା। ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ ଜବତ କରାଯାଇଛି। ଉଭୟଙ୍କ ନାଁରେ ୫ଲକ୍ଷ ଟଂକା ଲେଖାଏଁ ପୁରସ୍କାର ସରକାର ଘୋଷଣା କରିଥିଲେ।

ଆଜି ସକାଳେ ଦନ୍ତେଵାଡା ଜିଲ୍ଲାରେ ଅବସ୍ଥାପିତ ଡିଆରଜି ଏବଂ ଜିଲ୍ଲା ପୁଲିସ ପକ୍ଷରୁ ମିଳିତ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ଗୁଇନ୍ଦା ସୂଚନାକୁ ଆଧାର କରି ଗୁନିଆପାଲି ଜଙ୍ଗଲରେ ଯବାନ ପଶିଥିଲେ। ଏନେଇ ପୂର୍ବରୁ ହିଁ ନକ୍ସଲଙ୍କୁ ସୂଚନା ମିଳି ସାରିଥିଲା। ତେଣୁ ଯବାନଙ୍କୁ ଅପେକ୍ଷା କରି ଛପି ରହିଥିଲେ ନକ୍ସଲ। ଟାର୍ଗେଟକୁ ଆସିବା ପରେ ନକ୍ସଲ ଆତର୍କିତ ଭାବେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏମିତି ସ୍ଥିତିର ସମ୍ଭାବନା ରହିଥିବାରୁ ସଜାଗ ଥିବା ଯବାନ ବି ପାଲଟା ଜବାବ ଦେଇଥିଲେ। ଗୁନିଆପାଲ ଅଂଚଳର କରିଆପାରା, ନଦିଆପାରା, ରେଚାପାରା ଅଂଚଳରେ ଉଭୟପଟୁ ଦେଢ଼ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଗୁଳି ବିନିମୟ ଘଟିଥିଲା। ଖବର ପାଇ ଅଧିକ ସଂଖ୍ୟାରେ ଯବାନ ଜଙ୍ଗଲରେ ପଶିଥିଲେ। ଯାହାଫଳରେ ବାଧ୍ୟ ହୋଇ ନକ୍ସଲ ପଛଘୁଞ୍ଚା ଦେଇଥିଲେ। ସର୍ଚ୍ଚ ଅପରେସନ ସମୟରେ ଦୁଇ ଜଣ ହାର୍ଡକୋର ନକ୍ସଲଙ୍କ ଶବ ମିଳିଥିଲା। ସେହିପରି ଜଣେ ଆହତ ମହିଳା ମାଓବାଦୀକୁ ବି ଗିରଫ କରାଯାଇଛି। ବହୁ କ୍ୟାଡର ନକ୍ସଲ ଖସି ପଳାଇବାରେ ସକ୍ଷମ ହୋଇଥିବା ପୁଲିସ ଏସପି ଅଭିଷେକ ପଲ୍ଲବ ପ୍ରକାଶ କରିଛନ୍ତି। ନକ୍ସଲ କମାଣ୍ଡାର ପ୍ରଦୀପ ମଧ୍ୟ ଏହି ଗୁଳି ବିନିମୟ ସମୟରେ ସେଠାରେ ଥିଲା ବୋଲି କୁହାଯାଉଛି। ଗୁଳି ବିନିମୟରେ ବହୁ ଟପ୍ କ୍ୟାଡର ନକ୍ସଲ ଖସି ପଳାଇବାରେ ସକ୍ଷମ ହୋଇଥିବାରୁ ପୁଲିସ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି। ଗିରଫ ମହିଳା ନକ୍ସଲ ସଂପର୍କରେ ପୁଲିସ କୌଣସି ସୂଚନା ଦେଇ ନାହିଁ। ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ସମ୍ବନ୍ଧିତ ଖବର