ଉତ୍ତୋଳନ ବେଳେ ଛିଡ଼ିଗଲା ଜାତୀୟ ପତାକା, କାର୍ଯ୍ୟରେ ଅବହେଳା ପାଇଁ ୨ ହାବିଲଦାର ସସ୍‌ପେଣ୍ତ

ଜଗତସିଂହପୁର ଟାଉନ୍ : ଜଗତସିଂହପୁରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ଜାତୀୟ ପତାକା ଛିଡ଼ିଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏଭଳି ଘଟଣା ଯୋଗୁଁ କାର୍ଯ୍ୟରେ ଅବହେଳା ପାଇଁ ଜିଲ୍ଲା ଏସ୍‌ପି ୨ ଜଣ ହାବିଲଦାରଙ୍କୁ ନିଲମ୍ବିତ କରିଛନ୍ତି।

ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ‌ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଥିଲେ ମନ୍ତ୍ରୀ ଜଗନ୍ନାଥ ସାରକା। ଶ୍ରୀ ସାରକା ପତାକା ଉତ୍ତୋଳନ କରିବା ବେଳେ ପତାକା ଛିଡ଼ି ତଳେ ପଡ଼ି ଯାଇଥିଲା। ଏହାକୁ ନେଇ ଉପସ୍ଥିତ ସମସ୍ତଙ୍କ ଭିତରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୁଣିଥରେ ପତାକା ବନ୍ଧା ଯାଇ ଉତ୍ତୋଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ର, ଏସ୍‌ପି ପ୍ରକାଶ ଆର୍, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ଏଭଳି ଘଟଣାକୁ ନେଇ ଉପସ୍ଥିତ ଅତିଥିମାନେ ଦୁଃଖ ପ୍ରକାଶ କରିଥିଲେ। କିନ୍ତୁ ପତାକା ଦାୟିତ୍ବରେ ଥିବା ୨ ଜଣଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଏସ୍‌ପି ପ୍ରକାଶ ଆର୍ ନିଲମ୍ବନ କରିଛନ୍ତି। ନିଲମ୍ବିତ ଦୁଇ ଜଣ ହେଉଛନ୍ତି ହାବିଲଦାର୍ ଶତୃଘ୍ନ ବେହେରା ଏବଂ ହାବିଲଦାର ମେଜର୍ ଏସ୍‌. କେ ପଣ୍ତା।

ସମ୍ବନ୍ଧିତ ଖବର