ସଙ୍ଗରୋଧ କେନ୍ଦ୍ରରେ ରହିବାକୁ କହିବାରୁ ଆକ୍ରମଣ, ୨ ଜଣ ଗୁରୁତର ଆହତ, ୪ ଗିରଫ

ପାଇକସାହି : ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା କୋରାବ ଗାଁକୁ ଫେରିଥିବା ଜଣେ ପ୍ରବାସୀ ଶ୍ରମିକ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଛି। ସଂପୃକ୍ତ ପ୍ରବାସୀ ଶ୍ରମିକ ଓ ତାଙ୍କର ୪ ଜଣ ଭାଇ ଗାଁ କମିଟି ସଂପାଦକଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ପୁଲିସ ଉକ୍ତ ପ୍ରବାସୀ ଶ୍ରମିକ ଓ ତାଙ୍କ ଭାଇ ୪ ଜଣଙ୍କୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, କୋରାବ ଗାଁର ପୁରନ୍ଦର ସିଠ କଳାହାଣ୍ଡିରେ କାମ କରୁଥିଲେ। ସେ କିଛିଦିନ ପୂର୍ବେ ଗ‌ାଁକୁ ଫେରି ଘରେ ସଙ୍ଗରୋଧରେ ୧୬ ଦିନ ରହିଥିଲେ। ଏହାପରେ ସେ ଗାଁରେ ବୁଲାବୁଲି କରିଥିଲେ। ପୁରନ୍ଦର ଗ୍ରାମବାସୀଙ୍କ ସହ ମିଶାମିଶି କରିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ କେନ୍ଦ୍ରକରି ଗାଁ ବୈଠକ ଡକାଯାଇଥିଲା। ବୈଠକକୁ ପୁରନ୍ଦରଙ୍କୁ ଡକାଯାଇଥିଲେ ବି ସେ ଆସିନଥିଲେ। ପୁରନ୍ଦର ୨୧ ଦିନ ପର୍ଯ୍ୟନ୍ତ ସଙ୍ଗରୋଧ କେନ୍ଦ୍ରରେ ରହିବା ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ତେବେ ଏହାକୁ ପୁରନ୍ଦର ଓ ତାଙ୍କ ପରିବାର ଲୋକେ ବିରୋଧ କରିଥିଲେ। ଗାଁ ବୈଠକ ଡକାଯିବାରେ ଅସ‌ନ୍ତୋଷ ବ୍ୟକ୍ତ କରି ପୁରନ୍ଦର ଓ ତାଙ୍କ ପରିବାର ଲୋକେ ମଙ୍ଗଳବାର ସଂଧ୍ୟାରେ ଗାଁ ସଂପାଦକ ଧରଣୀଧର ଖିଲାର, ବଳଭଦ୍ର ଖିଲାର, ଧରଣୀଧରଙ୍କ ଭାଉଜ ମଲ୍ଲୀ ଖିଲାର, ମଲ୍ଲୀଙ୍କ ପୁଅ ଜିତେନ୍ଦ୍ର ଖିଲାର ଓ ରାଜୁ ବେହେରାଙ୍କୁ ଆକ୍ରମଣ କରିଥିଲେ। ଭୁଜାଲି ଓ ଠେଙ୍ଗାରେ ଆକ୍ରମଣ କରିବାରୁ ବଳଭଦ୍ର ଓ ରାଜୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଉଭୟ ଆଠମଲ୍ଲିକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମଲ୍ଲୀ ଖିଲାର ବୁଧବାର ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରିବା ସହ ପୁରନ୍ଦର ସିଠ, ତାଙ୍କ ଭାଇ ସୁରେନ୍ଦ୍ର ସିଠ, ମାମଲା ସିଠ, ଚଗଲା ସିଠ ଓ ଭୀମ ସିଠଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର