କେନାଲ ସଫେଇରୁ ଏସିଡ୍‌ ମାଡ଼, ୨ ଗୁରୁତର

ନିଆଳି : କେନାଲ ସଫେଇ କାମକୁ କେନ୍ଦ୍ର କରି ଆଜି ନିଆଳି ବ୍ଲକ୍‌ ଅଲଣା ପଞ୍ଚାୟତର ପସଙ୍ଗ ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଓ ଏସିଡ୍‌ ମାଡ ହୋଇଛି। ଏହି ସଂଘର୍ଷରେ ଉଭୟ ଗୋଷ୍ଠୀର ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅଲଣା ସରପଞ୍ଚଙ୍କ ଶଳା ସୁନିଲ ସାହୁ, ବିଶ୍ୱରଞ୍ଜନ ସାହୁ ଓ ଅପରଗୋଷ୍ଠୀ ତଥା ପାଣି ପଞ୍ଚାୟତର ସଂପାଦକ ଅକ୍ଷୟ ଜେନା ଓ ତାଙ୍କ ପତ୍ନୀ ଗଣ୍ଡଗୋଳରେ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଦୁଇ ଗୋଷ୍ଠୀ ପକ୍ଷରୁ ନିଆଳି ଥାନାରେ ପୃଥକ୍‌ ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି।

ସୂଚନାନୁଯାୟୀ, ପସଙ୍ଗ ଦେଇ ଯାଇଥିବା କେନାଲକୁୁ ଆଜି ପାଣି ପଞ୍ଚାୟତ ପକ୍ଷରୁ ଜେସିବି ମେସିନ୍‌ ସହାୟତାରେ ସଫା କରାଯାଉଥିଲା। ଏହି ସମୟରେ କିଛି ଲୋକ ସେଠାରେ ପହଞ୍ଚି ଜେସିବି ମେସିନ୍‌ ଚାବିକୁ ନେଇଯାଇଥିଲେ। ଫଳରେ ଏହି ଘଟଣାକୁ କେନ୍ଦ୍ର କରି ପାଣି ପଞ୍ଚାୟତର ସଂପାଦକ ଅକ୍ଷୟ ଜେନାଙ୍କ ପରିବାରବର୍ଗ ଏବଂ ଅଲଣା ସରପଞ୍ଚ ବନମାଳି ସାହୁଙ୍କ ଶ୍ୱଶୁର ଘର ମୁହାଁମୁହିଁ ହୋଇଥିଲେ। ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା। ସଂପାଦକ ଶ୍ରୀ ଜେନାଙ୍କ ପରିବାର ଲୋକେ ହଠାତ୍‌ ସରପଞ୍ଚଙ୍କ ଶଳା ସୁନିଲ୍‌ ସାହୁ ଓ ବିଶ୍ୱରଂଜନ ସାହୁଙ୍କ ଉପରକୁ ଏସିଡ୍‌ ମାଡ କରିଥିଲେ। ଏହାକୁ କେନ୍ଦ୍ର କରି ସଂଘର୍ଷ ଘଟିଥିଲା। ଦୁଇ ଗୋଷ୍ଠୀ ସଂଘର୍ଷରେ ସୁନିଲ ସାହୁ, ବିଶ୍ୱରଂଜନ ସାହୁଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିବା ବେଳେ ପ୍ରବୋଧ ଜେନା, ଅଭିନ ସାହୁ, ଡାକୁ ସାହୁ, ଅକ୍ଷୟ ଜେନା ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଏ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ସୁନିଲ ଏବଂ ଅକ୍ଷୟଙ୍କ ପତ୍ନୀ ନିଆଳି ଥାନାରେ ଏକାଧିକ ଲୋକଙ୍କ ନାଁରେ ପୃଥକ୍‌ ଏତଲା ଦେଇଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଘଟଣାସ୍ଥଳରେ ନିଆଳି ଆଇଆଇସି ଶ୍ରବଣ କୁମାର ମହାରଣା ପୁଲିସ ଫୋର୍ସ ସହିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର