ନବରଙ୍ଗପୁର : ଖାଦ୍ୟରେ ବିଷକ୍ରିୟା ଯୋଗୁଁ ୨ ଶିଶୁପୁତ୍ର ମୃତ, ବାପା ଓ ମା ଗୁରୁତର, ବର୍ତ୍ତିଲେ ୨ ଭଉଣୀ

ଚନ୍ଦାହାଣ୍ତି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ତି ବ୍ଲକ ଅଧୀନସ୍ଥ ଧୋଡ଼ିପାଣି ପଞ୍ଚାୟତ ଅନ୍ତର୍ଗତ ଦଣ୍ତାମୁଣ୍ତା ଗାଁରେ ଅଭାବନୀୟ ଘଟଣା ଘଟିଛି। ଖାଦ୍ୟ‌ରେ ବିଷକ୍ରିୟା ହୋଇ ଗୋଟିଏ ପରିବାରର ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। ସେହିପରି ବାପା, ମା’ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେ‌ବେ ଦୁଇ ଭଉଣୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଦଣ୍ତାମୁଣ୍ତା ଗାଁର ବେଣୁଧର ଗୌଡ଼ (୩୯)ଙ୍କ ପରିବାର ଗତକାଲି ରାତିରେ ଭାତ ସହ ବାଇଗଣ ଓ ଆଳୁ ତରକାରି ଖାଇ ଶୋଇ ପଡ଼ି‌ଥିଲେ। ତେବେ ଆଜି ସକାଳୁ ସକାଳୁ ବେଣୁଧର, ପତ୍ନୀ ଶକୁନ୍ତଳା ଗୌଡ଼ (୩୬), ଦୁଇ ପୁଅ ଅମୂଲ୍ୟ (୬) ଓ ଗିରିଧର(୪)ଙ୍କ ବାରମ୍ବାର ଝାଡ଼ା ସହ ବାନ୍ତି ହୋଇଥିଲା। ଏତେ ମାତ୍ରାରେ ଦୁର୍ବଳ ହୋଇଯାଇଥିଲେ ଯେ, ଦୁଇ ଶିଶୁ ଚେତା ହରାଇ ଘରେ ପଡ଼ିଥିଲେ। ବେଣୁଧର ଓ ଶକୁନ୍ତଳା ମଧ୍ୟ ବିଛଣାରୁ ଉଠିପାରି ନଥିଲେ। ଦୁଇ ଝିଅ ଏ ନେଇ ପଡ଼ୋଶୀଙ୍କୁ ଜଣାଇଥିଲେ। ଏହାପରେ ସକାଳ ପ୍ରାୟ ୮ଟା ବେଳେ ୧୦୮ ଆମ୍ବୁଲାନ୍ସ ଡକାଇ ଅସୁସ୍ଥଙ୍କୁ ଚନ୍ଦାହାଣ୍ତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତରଖାନା ପହଞ୍ଚିବା ବେଳକୁ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇ ସାରିଥିବା ଡାକ୍ତର କଳ୍ପେଶ ସୁନା ସୂଚନା ଦେଇଥିଲେ। ସେହିପରି ଦଂପତିଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପରେ ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସା ପରେ ବେଣୁଧରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ବେଳେ ଶକୁନ୍ତଳାଙ୍କ ଅବସ୍ଥାରେ ବିଶେଷ ପରିବର୍ତ୍ତନ ଆସି ନଥିଲା। ତେଣୁ ଉନ୍ନତ ଚିକିତ୍ସା ନିମନ୍ତେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏ ନେଇ ଚନ୍ଦାହାଣ୍ତି ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ପୁଲିସ କହିଛି। ଆଜି ଶୋକାକୁଳ ପରିବେଶରେ ଦଣ୍ତାମୁଣ୍ତାଠାରେ ଦୁଇ ଶିଶୁଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।

ସମ୍ବନ୍ଧିତ ଖବର