କାନ୍ଥ ଭଙ୍ଗା ବେଳେ ଅଘଟଣ, ମାଲିକଙ୍କ ସମେତ ୨ ମୃତ

ହରିପୁର/ଧର୍ମଶାଳା : ନୂଆ ଘର କରିବାକୁ ପୁରୁଣା ଘର ଭଙ୍ଗା ଯାଉଥିବା ନଦଉ କାନ୍ଥ ଭୁଶୁଡ଼ି ପଡ଼ିବାରୁ ମାଟି ତଳେ ଚାପି ହୋଇ ଘର ମାଲିକ ଏବଂ ଅନ୍ୟ ଜଣେ ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଆଜି ସକାଳୁ ସକାଳୁ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଧୀନ ଅତଲାପୁର ପଞ୍ଚାୟତ ବାଲିପାଟଣା ଗ୍ରାମ ଗୁଡ଼ିଆ ସାହିରେ ଏଭଳି ଦୁଃଖଦ ଘଟଣା ଘଟିଛି। ସକାଳ ପ୍ରାୟ ସାଢ଼େ ୮ଟା। ବାଲିପାଟଣା ଗ୍ରାମ ଗୁଡ଼ିଆ ସାହିର ବନମାଳୀ ସାହୁ(୫୫) ଏକ ପୁରୁଣା ଘରର କାନ୍ଥ ଭାଙ୍ଗୁଥିଲେ। ତାଙ୍କ ସହିତ ଅନ୍ୟ ଦୁଇ ଜଣ ଶ୍ରମିକ କୁଳଙ୍ଗା ଅଞ୍ଚଳର ଦାମ ଲେଙ୍କାଙ୍କ ପୁଅ ଚନ୍ଦନ ଲେଙ୍କା (୨୫) ଏବଂ ବିଷ୍ଣୁ ନାଥଙ୍କ ପୁଅ ପଞ୍ଚୁ ନାଥ(୨୫) ନିୟୋଜିତ ଥିଲେ। ତିନିଜଣ ଯାକ କାନ୍ଥ ଭଙ୍ଗା କାର୍ଯ୍ୟ ଚଳାଇଥିବା ବେଳେ ହଠାତ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଘର ମାଲିକ ଓ ଶ୍ରମିକଙ୍କ ଚିତ୍କାର ଶୁଣି ପାଖ ପଡ଼ିଶା ଏବଂ ବଜାର ଲୋକେ ଧାଇଁ ଆସିଥିଲେ। ଲୋକେ କାନ୍ଥ ଭାଙ୍ଗି ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଘର ମାଲିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ପରେ ଚନ୍ଦନ ଲେଙ୍କାଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଶବ ଜବତ କରି ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଆହତ ପଞ୍ଚାନନର ଗୋଡ଼ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ‌ସେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ବନମାଳୀ ଓ ଚନ୍ଦନଙ୍କ ଶବ ବ୍ୟବଚ୍ଛେଦ ପରେ ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ ଗାଁକୁ ଫେରିଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର