ସେବାଧାମ କାନ୍ଥ ଭୁଶୁଡ଼ି ୨ ଶିଶୁ ମୃତ, ୩ ଗୁରୁତର

ସଭାପତି ଓ ସଂପାଦକ ଗିରଫ

ଦେବଗଡ଼/ରିଆମାଳ : ମୃତ୍ୟୁ କାହା ପାଇଁ କେଉଁ ପରିସ୍ଥିତିରେ ଆସିବ ତାହା କେହି ବି କହିପାରିବେ ନାହିଁ। ଚାରିଆଡ଼େ ଦଶହରା ଉତ୍ସବ ପାଇଁ ଖୁସିର ପରିବେଶ ଥିବା ବେଳେ ଏକ ଅଭାବନୀୟ ପରିସ୍ଥିତିରେ ଆଖି ବୁଜିବାକୁ ପଡ଼ିଛି ଦୁଇ ଜଣ ନିରୀହ ଶିଶୁଙ୍କୁ। ଘଟଣାଟି ଘଟିଛି ଶନିବାର ସକାଳେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ ସ୍ଥିତ ରେଙ୍ଗାଲବେଡ଼ାରେ। ରଙ୍ଗାଲବେଡ଼ାସ୍ଥିତ ଏକ ସେବାଶ୍ରମର କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁଁ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିିକିତ୍ସାଧୀନ ଅଛନ୍ତି।

ମିଳିଥିବା ସୂଚନାନୁସାରେ ସବୁ ଦିନ ଭଳି ଶନିବାର ସକାଳେ ମଧ୍ୟ ବିଛଣାରୁ ଉଠି ସେବାଶ୍ରମ ଅନ୍ତେବାସୀ ରଶ୍ମିତା ପ୍ରଧାନ (୭), କାଜଲ ମାହାର (୮), ଅଯୋଧ୍ୟା ପେଣ୍ଠେଇ (୪), ବାଦଲ ବାହାର (୭) ଓ ଓଁ ଭାରତୀୟ ପ୍ରଧାନ (୭) ଆଶ୍ରମ ଭିତରେ ଖେଳାବୁଲା କରୁଥିଲେ। ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ସେବାଶ୍ରମର କାନ୍ଥ ହଠାତ୍‌ ଭୁଶୁଡ଼ି ପଡ଼ି ପିଲାଙ୍କ ଉପରେ ପଡ଼ିଥିଲା। ଫଳରେ ତା’ ତଳେ ଚାପି ହୋଇ ରଶ୍ମିତାର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଦେବଗଡ଼ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସଂକଟାପନ୍ନ ଥିବା କାଜଲ ଓ ଅଯୋଧ୍ୟାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ମାତ୍ର ବୁର୍ଲାରେ କାଜଲ ବି ଆଖି ବୁଜିଥିଲା।

ଖବର ପାଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଓ ସେବାଧାମ ଅନ୍ତେବାସୀଙ୍କୁ ଉପଯୁକ୍ତ ସେବା ପ୍ରଦାନ ଦାବିରେ ୨୦୦/୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକେ ଟାୟାର୍‌ ଜାଳି ରାସ୍ତାରୋକ କରିବା ଦ୍ୱାରା ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା। ଖବର ପାଇ ରିଆମାଳ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ବ୍ଲକ୍‌ ଅଧ୍ୟକ୍ଷା ରୀତାଞ୍ଜଳି ହାତୀ ମଧ୍ୟ ଘଟଣାସ୍ଥଳରେ ରହି ଆଲୋଚନା କରୁଥିବା ବେଳେ ଏଏସ୍‌ପି ଦେବୀ ପ୍ରସାଦ ଦାଶ, ଏସ୍‌ଡିପିଓ ସୁଲେମାନ ଏକ୍କା, ବିଜେଡି ଜିଲ୍ଲା ସଭାପତି ସୁଧୀର କପରଦାର, ଚିତ୍ତରଂଜନ ପ୍ରଧାନ ପ୍ରମୁଖ ପହଞ୍ଚି ବୁଝାସୁଝା କରିଥିଲେ। ସେବାଧାମ ପକ୍ଷରୁ ମୃତକଙ୍କ ପରିବାରକୁ ୨୫ ହଜାର ଓ ଆହତମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ତଥା ରେଡକ୍ରସ୍‌ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ହାତୀ ଘୋଷଣା କରିବା ପରେ ଦିନ ସାଢ଼େ ୧୨ଟାରେ ରାସ୍ତାରୋକ ହଟିଥିଲା।

ଏହି ମାମଲାରେ ପୁଲିସ୍‌ ସେବାଧାମ ପରିଚାଳନା କମିଟି ସଭାପତି ହେମନ୍ତ ବେହେରା ଓ ସଂପାଦକ ଭରତ ଚନ୍ଦ୍ର ସାହୁଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ପ୍ରକାଶଥାଉ କି ମୃତ ରଶ୍ମିତାର ମା’ ରଞ୍ଜିତା ପ୍ରଧାନ ଉକ୍ତ ସେବାଧାମରେ ରୋଷେଇଆ ଭାବେ କାର୍ଯ୍ୟ କରୁଥିବା ବେଳେ କାଜଲର ଘର ଫୁଲବାଣୀରେ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ସିଡବ୍ଲୁସି ଅଧ୍ୟକ୍ଷା ସୈରେନ୍ଦ୍ରୀ ପ୍ରଧାନଙ୍କ ସହ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। ତେବେ କେଉଁ କାରଣରୁ ସେବାଧାମର କାନ୍ଥ ଭୁଶୁଡ଼ିଲା ତା’ର ତଦନ୍ତ ଚାଲଥିବା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର