ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

କଣିହାଁ : ଶୀତର ପ୍ରକୋପରୁ ବର୍ତ୍ତିବା ପାଇଁ ଘର ଭିତରେ କୋଇଲା ଚୁଲା ଲଗାଇଥିଲେ। ଏହା ତାଙ୍କ ଦେହକୁ କେତେ ଉଷୁମ କରିଥିଲା, କାହାକୁ ଜଣାନାହିଁ। ମାତ୍ର, କୋଇଲା ଧୂଆଁରେ ଶ୍ବାସରୁଦ୍ଧ ହୋଇ ପ୍ରାଣ ଚାଲିଗଲା। ସବୁଦିନ ପାଇଁ ଦେହ ଶୀତଳ ହୋଇଗଲା। ଏନ୍‌ଟିପିସି ଥାନା ଅନ୍ତର୍ଗତ ଗଦାଶିଳା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ୨ ଜଣ ଟାଇଲ ମିସ୍ତ୍ରି ଘର ଚଟାଣ କାମ କରିବା ପାଇଁ ଦୁଇ ଦିନେ ପୂର୍ବେ ଗଦାଶିଳା ଗ୍ରାମର ହେମନ୍ତ ପ୍ରଧାନଙ୍କ ଘରକୁ ଆସିଥିଲେ। ଗତକାଲି ଉଭୟେ ଶ୍ରୀ ପ୍ରଧାନଙ୍କ ଘର ଟାଇଲ୍ କାମ ସାରି ରାତିରେ ଖାଇ ଏକ କୋଠରୀରେ ଶୋଇଥିଲେ। ଶୀତରୁ ରକ୍ଷା ପାଇବା ପାଇଁ ଘର ଭିତରେ ଏକ କୋଇଲା ଚୁଲା ଲଗାଇଥିଲେ। ଆଜି ସକାଳେ ମିସ୍ତ୍ରି ଦ୍ବୟ ଘର କବାଟ ନ ଖୋଲିବାରୁ ପାଖରେ ରହୁଥିବା କିଛି ଶ୍ରମିକ ଏ ସ˚ପର୍କରେ ଘରର ମାଲିକ ଶ୍ରୀ ପ୍ରଧାନଙ୍କୁ ଜଣାଇଥିଲେ। ଖବର ପାଇ ଏନ୍‌ଟିପିସି ଥାନା ଅଧିକାରୀ ଶୋଭା ପଟ୍ଟନାୟକ କଣିହାଁ ଅତିରିକ୍ତ ତହସିଲଦାର ରବୀନ୍ଦ୍ର ସାମଲଙ୍କ ସହ ସଦଳବଳ ସେଠାରେ ପହଞ୍ଚିଥିଲେ। କବାଟ ଭାଙ୍ଗିବା ପରେ ଦୁଇ ମିସ୍ତ୍ରିଙ୍କୁ ମୃତାବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ମୃତ ଶ୍ରମିକଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ସାହିଦ ଆରିଫ ମିଆଁ (୨୪) ଓ ଅନ୍ୟଜଣକ ତାଙ୍କ ସମ୍ପର୍କୀୟ ଭାଇ ଛୋଟୁ (୨୬) ବୋଲି ଜଣାପଡ଼ିଛି। ପୁଲିସ୍‌ ଶବ ଦୁଇଟିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତ ଶ୍ରମିକଦ୍ବୟଙ୍କ ପରିବାର ଲୋ‌େକ ପହଂଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର