ଦୁଇ କ୍ୟାଡ଼ର ମାଓବାଦୀଙ୍କ ଆତ୍ମସମର୍ପଣ

ବିଟ୍‌ ହାଉସ୍‌ ପୋଡ଼ାଜଳାରେ ସମ୍ପୃକ୍ତି

ଅନୁଗୁଳ ଜିଲ୍ଲାରେ କରୁଥିଲେ ମାଓ ସଙ୍ଗଠନ ସଭା

ଅନୁଗୁଳ : ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଛୁଟ୍‌କେଇ ବିଟ୍‌ ହାଉସ୍‌ ଆକ୍ରମଣ, ଚୁଆଁରି ବିଟ୍‌ ହାଉସ୍‌ ପୋଡ଼ି ଏବଂ ବନ ବିଭାଗ ସମ୍ପତ୍ତି କ୍ଷୟକ୍ଷତି ଘଟଣାରେ ସମ୍ପୃକ୍ତ ଥିବା ଛତିଶଗଡ଼ କ୍ୟାଡ଼ରର ଦୁଇ ଜଣ ମାଓବାଦୀ ସୁକୁରାମ ପୂର୍ତ୍ତି (୧୮) ଓରଫ୍‌ ଗୁଲସନ୍‌ ଏବଂ ବାସନ୍ତୀ ମୁର୍ମୁୁ (ଛଦ୍ମନାମ-ବୟସ ୧୭) ଆଜି ଅନୁଗୁଳ ଏସ୍‌ପି ବ୍ରିଜେଶ କୁମାର ରାୟଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। ଗୁଲ୍‌ସନଙ୍କ ଘର ଛତିଶଗଡ଼ ଗଇଲିକେରା ଥାନା ପଟାହାତୁ ଗାଁ’ରେ ହୋଇଥିବା ବେଳେ ବାସନ୍ତୀଙ୍କ ଘର ଝାଡଖଣ୍ଡ ରାଜ୍ୟ କିରିବୁରୁ ଥାନା ଚେରୁଆରୋଲ୍‌ ଗାଁ’ରେ ବୋଲି ଜଣାପଡ଼ିଛି। ଅନୁଗୁଳ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଶ୍ରୀ ରାୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଏସ୍‌ପି ଶ୍ରୀ ରାୟଙ୍କ ସୂଚନା ଅନୁସାରେ, ମାଓ ନେତାଙ୍କ ଦ୍ୱାରା ପ୍ରଲୋଭିତ ହୋଇ ଏହି ଦୁଇ ଜଣ ୨୦୧୨ ମସିହାରେ ମାଓ ସଂଗଠନରେ ସାମିଲ ହୋଇଥିଲେ। ବନ୍ଧୁକ ଚାଳନା ପ୍ରଶିକ୍ଷଣ ନେବା ପରେ ମାଓନେତା ଲାଲାଚନ୍ଦ ହେମ୍ବ୍ରମ୍‌ ଓ କୁନୁ ଦେହୁରୀ ଅଧୀନରେ ଉଭୟ ସମ୍ବଲପୁର-ଦେଓଗଡ଼-ସୁନ୍ଦରଗଡ଼ ଡିଭିଜନ୍‌ ପାଇଁ କାମ କରୁଥିଲେ। ବିଶେଷ କରି ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା, ପୁରୁଣାକୋଟ, ବନ୍ତଳା, ଠାକୁରଗଡ଼, ହଣ୍ଡପା ଓ ଆଠମଲ୍ଲିକ ଥାନା ଇଲାକାରେ ଆଦିବାସୀ ଯୁବକଯୁବତୀଙ୍କୁ ମାଓ ସଂଗଠନରେ ସାମିଲ କରିବା ଏବଂ ଲୋକଙ୍କୁ ଡାକି ମାଓ ସଭା କରିବାରେ ଏମାନେ ପ୍ରମୁଖ ଭୂମିକା ତୁଲାଉଥିଲେ। ପୁଲିସ କମ୍ବିଂ ଅପରେସନ୍‌ ବେଳେ ଦୁହେଁ ଏକାଧିକ ଥର ଜଙ୍ଗଲରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ।

ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ ଉଭୟ ମନସ୍ଥ କରି ଆଜି ସେମାନେ ଆତ୍ମ ସମର୍ପଣ କରିଛନ୍ତି ବୋଲି ଏସ୍‌ପି ଶ୍ରୀ ରାୟ କହିଛନ୍ତି। ଗୁଲ୍‌ସନ ନାଁରେ ପୁରୁଣାକୋଟ ଓ ହଣ୍ଡପା ଥାନାରେ ୬ଟି ମାମଲା ଥିବା ବେଳେ ବାସନ୍ତୀଙ୍କ ନାମରେ ଛେଣ୍ଡିପଦା, ପୁରୁଣାକୋଟ, ହଣ୍ଡପା ଥାନାରେ ୭ଟି ମାମଲା ଥିବା ଜଣାପଡିଛି। ଆତ୍ମ ସମର୍ପଣ କରିଥିବାରୁ ନିୟମ ଅନୁସାରେ ସେମାନଙ୍କୁ ସରକାରୀ ସହାୟତା ସାଙ୍ଗକୁ ଥଇଥାନ କରାଯିବ ବୋଲି ଏସ୍‌ପି ଶ୍ରୀ ରାୟ କହିଛନ୍ତି।

ସମ୍ବନ୍ଧିତ ଖବର