ଟିଟୋର ପୁତୁରା ସମେତ ୨ ଗିରଫ

ଭୁବନେଶ୍ୱର : କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଗ୍ୟାଙ୍ଗଷ୍ଟର ଟିଟୋକୁ ଚତୁର୍ଥ ପର୍ଯ୍ୟାୟରେ ରିମାଣ୍ଡରେ ଆଣି ପଚରା ଉଚରା ଜାରି ରଖିଥିବା ବେଳେ ଆଜି ତାର ଅପରାଧ ସାମ୍ରାଜ୍ୟର ଦୁଇ ସହଯୋଗୀଙ୍କୁ ଗିରଫ କରିଛି। ସେମାନେ ହେଲେ, ଟିଟୋର ପୁତୁରା ବବ୍‌ଲୁ ଓରଫ୍‌ ସୟଦ ଇମାନ ଅଲ୍ଲୀ ଓ ମାଛୁ ଓରଫ ସେକ୍‌ ଅବଦୁଲ କାଦିର। ଦୁହିଁଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ମାଛୁ ଓ ବବ୍‌ଲୁ ନାଁରେ ଏକାଧିକ ଆପରାଧିକ ମାମଲା ରହିଛି। କେନ୍ଦ୍ରାପଡ଼ା ବଜାର ଉପରେ ମାଛୁର ଏକ ଔଷଧ ଦୋକାନ ରହିଛି। ସେ ନାମକୁ ମାତ୍ର ଔଷଧ ଦୋକାନ ଚଳାଉଥିବା ବେଳେ ବିଭିନ୍ନ ସମୟରେ ଆପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବା ନେଇ ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ସେହିପରି ପୁତୁରା ବବ୍‌ଲୁ ଟିଟୋର ଅପରାଧ ସାମ୍ରାଜ୍ୟ ବ୍ୟତୀତ ଆର୍ଥିକ ସାମ୍ରାଜ୍ୟ ମଧ୍ୟ ବୁଝାବୁଝି କରୁଥିଲା। ସେହିପରି ଆଜି ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ର ୫ଜଣିଆ ଟିମ୍‌ ଏସ୍‌ଟିଏଫ୍‌ କାର୍ଯ୍ୟାଳୟରେ ହାଜର ହୋଇଥିଲେ। କିଭଳି ଟିଟୋ ଓ ତାଙ୍କ ପତ୍ନୀଙ୍କୁ ପେଟ୍ରୋଲ ପମ୍ପ ଲାଇସେନ୍ସ ଓ ଜମି ଲିଜ୍‌ ମିଳିଲା ସେ ନେଇ ପଚରା ଉଚରା କରାଯାଇଛି। ଟିଟୋକୁ କିଏ ଓ କିଭଳି ଅନୁକମ୍ପା ଦେଖାଇଛନ୍ତି, ସେନେଇ ଏସ୍‌ଟିଏଫ୍‌ ସେମାନଙ୍କଠାରୁ ଉତ୍ତର ଜାଣିବାକୁ ଚାହିଛି। ତେବେ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ର ୫ ଜଣିଆ ଟିମ୍‌ ଏହାକୁ ଖଣ୍ଡନ କରିଛନ୍ତି। କହିଛନ୍ତି, ପାରଦ୍ୱୀପ, ରାଞ୍ଚି ଓ ରାୟପୁର ମଧ୍ୟରେ ଯେଉଁ ଗ୍ୟାସ୍‌ ପାଇପ ଲାଇନ ବିଛାଇବା କାର୍ଯ୍ୟ ଚାଲିଛି, ତାହା କିଛି ଅପରାଧୀଙ୍କ ଦ୍ୱାରା ବାଧାପ୍ରାପ୍ତ ହେଉଛି। ସେମାନେ ଦାଦାବଟି ମାଗିବା ସହ ଗଣ୍ଡଗୋଳ ଭିଆଉଛନ୍ତି। ଏଣୁ ଏ ସଂପର୍କରେ ସେମାନେ ଏସଟିଏଫର ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଇବା ପାଇଁ ଆସିଥିଲେ। ତେବେ ଏହି ଅଧିକାରୀମାନେ ଗଣମାଧ୍ୟମକୁ ଦେଇଥିବା ସୂଚନାର ସତ୍ୟାସତ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେହିପରି ଟିଟୋର ଏକ ଫରଚ୍ୟୁନର କାର୍‌କୁ ଏସ୍‌ଟିଏଫ ଯାଜପୁରରୁ ଜବତ କରିଛି। ଯାହାର ମୂଲ୍ୟ ପାଖାପାଖି ୩୨ଲକ୍ଷ ଟଙ୍କା ହେବ। ସେହି କାର୍‌ଟି ଟିଟୋର ଜଣେ ସମ୍ପର୍କୀୟ ସୟଦ ସଦାମ୍‌ ଅଲ୍ଲୀଙ୍କ ନାଁରେ ରହିଛି।

ଅନ୍ୟପକ୍ଷରେ କଟକ ଚାଉଳିଆଗଞ୍ଜଠାରେ ଗତ ୨୦୧୬ ମସିହାରେ ଘଟିଥିବା ଟେଣ୍ଡର ଫିକ୍ସିଂ ମାମଲାରେ ଟିଟୋକୁ ପକ୍ଷଭୁକ୍ତ କରିବା ପାଇଁ କଟକ ଏସଡିଜେଏମ କୋର୍ଟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଏନେଇ କମିସନରେଟ ପୁଲିସ କିଛି ଦିନ ତଳେ କୋର୍ଟରେ ଆବେଦନ କରିଥିଲା।

ସୂଚନାଯୋଗ୍ୟ ଗତକାଲି ଟିଟୋ ଲିଙ୍କରେ କେନ୍ଦ୍ରାପଡ଼ା ଓ ଯାଜପୁରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। କେନ୍ଦ୍ରାପଡ଼ାର ପୌର କାର୍ଯ୍ୟାଳୟ ଓ ମହାକାଳପଡ଼ା ତହସିଲରେ ଭିଜିଲାନ୍ସ ଛାନଭିନ୍‌ କରୁଥିବା ବେଳେ ଯାଜପୁରର ଦର୍ପଣ ତହସିଲ୍‌ ଓ କେନ୍ଦ୍ରାପଡ଼ାରେ ଥିବା ଟିଟୋର ପେଟ୍ରୋଲ ପମ୍ପରେ ଚଢ଼ଉ କରାଯାଇଥିଲା। ଖୁବଶୀଘ୍ର ଚଢ଼ଉକୁ ବ୍ୟାପକ କରାଯିବ ବୋଲି ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର