ମାଲକାନଗିରିରେ ପୁଣି ୨ ଦାଦନଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି କଲେ ପ୍ରଦୀପ ମାଝୀ

ମାଲକାନଗିରି : ଭୋକ ପାଇଁ ଗାଁ ଛାଡ଼ିଥିଲେ। ସେହି ଭୋକ ପାଇଁ ପୁଣି ଗାଁକୁ ଫେରୁଥିଲେ। କିନ୍ତୁ ପହଞ୍ଚି ପାରିଲେ ନାହିଁ। ଭୋକର ଜ୍ବାଳାରେ ଚାଲୁ ଚାଲୁ ଏତେ ଦୂରକୁ ଚାଲିଗଲେ‌ ଯେ, ଆଉ କେବେ ଫେରିବେ ନାହିଁ। ଗୋଟିଏ ଗାଁର ଦୁଇ ଦାଦନଙ୍କ ଅକାଳ ମୃତ୍ୟୁ ସାରା ଗାଁକୁ ସ୍ତବ୍ଧ କରି ଦେଇଛି। ଏହି ଘଟଣା ପ୍ରବାସୀଙ୍କ ଫେରିବା ରାସ୍ତାକୁ କେତେ କଷ୍ଟଦାୟକ କରି ଦେଇଛି ତାହାକୁ ସାମ୍ନାକୁ ଆଣିଛି। ପ୍ରଶାସନିକ ସ୍ତରରେ ଫେରିବା ପାଇଁ ହୋଇଥିବା ବ୍ୟବସ୍ଥା ପ୍ରତି ମଧ୍ୟ ପ୍ରଶ୍ନ ଉଠାଇଛି।

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭୁବନପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବଙ୍ଗୀୟ ଗାଁ ଏମପିଭି-୭୩। ରୋଜଗାର ଅଭାବରୁ ଏହି ଗାଁର ମୃଗଙ୍ଗା ହାଲଦାର ଏବଂ ପୁଅ ଆକାଶ ହାଲଦାର ଚାଲି ଯାଇଥିଲେ ତାମିଲନାଡ଼ୁ। କାମ ଖୋଜି ପହଞ୍ଚିଥିଲେ ଚେନ୍ନାଇ। ତେବେ ଲକ୍‌ଡାଉନ୍ ଯୋଗୁଁ ବାପପୁଅ ରୋଜଗାର ହରାଇଲେ। କଟକଣା ଯୋଗୁଁ ଗାଁକୁ ସୁଦ୍ଧା ଆସିପାରିଲେ ନାହିଁ। ତଥାପି ସେମାନେ ନିଜ ସାଧ୍ୟ ଅନୁଯାୟୀ ଗାଁକୁ ଫେରିବା ପାଇଁ ଉଦ୍ୟମ ଜାରି ରଖିଥିଲେ। ହେଲେ ଭାଗ୍ୟ ଆଦୌ ସଦୟ ହୋଇ ନଥିଲା। ହଠାତ୍ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ମୃଗଙ୍ଗା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଲା। ସେହିଭଳି, ଏହି ଗାଁର ହିଁ ଯୁବକ ସତ୍ୟ ନାରାୟଣ ବିଶ୍ବାସ ପ୍ରାଣ ହରାଇଥିବା ଆଜି ସକାଳେ ପରିବାର ଲୋକଙ୍କୁ ସୂଚନା ମିଳିଥିଲା। ପ୍ରାୟ ଦେଢ଼ ମାସର ଧରି ଚେନ୍ନାଇରେ ଫସି ରହିଥିବା ସତ୍ୟ ନାରାୟଣ ଗତକାଲି ଗୋଟିଏ ସାଇକଲ କିଣି ଗାଁ ଅଭିମୁଖେ ବାହାରିଥିଲେ। କିନ୍ତୁ ଶହେ କିଲୋମିଟରର ଯାତ୍ରା ପରେ ଅସୁସ୍ଥ ହୋଇ ରାସ୍ତାରେ ହିଁ ଜୀବନ ହାରିଥିଲେ। ଆଜି ଗୋଟିଏ ଦିନରେ ଗୋଟିଏ ଘରୁ ଆଜି କୋକେଇ ଉଠିଥିବା ବେଳେ ଅନ୍ୟ ଗୋଟିଏ ଘରେ କୋକେଇ ବନ୍ଧା ଚାଲିଥିଲା। ଏଭଳି ହୃଦୟ ବିଦାରକ ଦୃଶ୍ୟ ଗ୍ରାମବାସୀଙ୍କୁ ନିର୍ବାକ କରି ଦେଇଛି। ଦାଦନଙ୍କ ଏଭଳି ଅକାଳ ମୃତ୍ୟୁକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ତୁରନ୍ତ ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଆଜି ସୁଦ୍ଧା ମାଲକାନଗିରି ଜିଲ୍ଲାର ୫ଜଣ ଦାଦନ ଶ୍ରମିକ ରାଜ୍ୟ ବାହାରେ ପ୍ରାଣ ହରାଇ ସାରିଲେଣି।

ସମ୍ବନ୍ଧିତ ଖବର