ସୁନ୍ଦରଗଡ଼ରେ ୨ ନାବାଳିକାଙ୍କୁ ଦୁଷ୍କର୍ମ : ଜଣଙ୍କ ବୟସ ୪ ବର୍ଷ, ଆଉ ଜଣେ ୧୦ ବର୍ଷର

ରାଉରକେଲା : କୁଆରମୁଣ୍ଡା, ରାଜଗାଙ୍ଗପୁର ଓ ହେମଗିର ଥାନା ଅଂଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ଜନମାନସରୁ ଲିଭିନଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପୁଣି ୨ ଟି ଦୁଷ୍କର୍ମ ଘଟଣା ସାମ୍‌ନାକୁ ଆସିଛି। ଦୁଃଖର ବିଷୟ ହେଉଛି, ମାତ୍ର ୪ ଓ ୧୦ ବର୍ଷ ବୟସର ଦୁଇଜଣ ନାବାଳିକାକୁ ଦୁଷ୍କର୍ମ କରାଯାଇଛି। ଗୋଟିଏ ଘଟଣାରେ ଜଣେ ୧୩ ବର୍ଷୀୟ ନାବାଳକ ଅଭିଯୁକ୍ତ ହୋଇଥିବାବେ‌େଳ ଉଭୟ ଘଟଣାର ଅଭିଯୁକ୍ତମାନଙ୍କୁ ଧରିବାରେ ପୁଲିସ୍‌ ସକ୍ଷମ ହୋଇଛି।

ଦୁଇଟି ଘଟଣା ମଧ୍ୟରୁ ବ୍ରାହ୍ମଣୀତରଙ୍ଗ ଥାନା ଅଂଚଳରେ ଗୋଟିଏ ଘଟଣା ଘଟିଛି। ୪ ବର୍ଷର କୁନି ଶିଶୁକନ୍ୟାକୁ ଗତ ୧୨ ତାରିଖ ଦିନ ସେହି ଗ୍ରାମର ନାବାଳକ (୧୩) ଚକୋଲେଟ୍‌ ଦେବାକୁ କହି ଡାକି ନେଇଥିଲା। ଘରଠାରୁ ମାତ୍ର କିଛି ଦୂରତାରେ ଥିବା ଏକ ନିର୍ଜନ ସ୍ଥାନରେ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିଲା। ଶିଶୁ କନ୍ୟା ଘରକୁ ଫେରିବାପରେ ପରିବାରବର୍ଗ ଅଘଟଣ ବିଷୟରେ ଜାଣିବାକୁ ପାଇଥିଲେ। ଏନେଇ ଥାନାରେ ଏତଲା ହେବାପରେ ବ୍ରାହ୍ମଣୀତରଙ୍ଗ ପୁଲିସ ନାବାଳକକୁ କାବୁ କରି ବାଳସୁଧାର ଗୃହକୁ ପଠାଇଦେଇଛି।

ଅନ୍ୟ ଏକ ଦୁଷ୍କର୍ମ ଘଟଣା ଘଟିଛି ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଡେଲିମାର୍କେଟ୍‌ ଅଂଚଳରେ। ଅଭିଯୁକ୍ତ ଅଜୟ ଗୁପ୍ତା ରାଉରକେଲା ଡେଲିମାର୍କେଟ ଟୋନି ହୋଟେଲ ଗଳିରେ ରହନ୍ତି। ସେ ବିବାହ ମଣ୍ଡପ ସାଜସଜ୍ଜା କାମ କରନ୍ତି। ୫ ବର୍ଷ ପୂର୍ବେ ଜଣେ ନିରାଶ୍ରୟ ମହିଳା ତାଙ୍କ ୫ ବର୍ଷର ଝିଅକୁ ଧରି ଆଶ୍ରୟ ପାଇଁ ଅଜୟଙ୍କ ଘରେ ପହଞ୍ଚିଥିଲେ। ଅଭିଯୁକ୍ତ ଅଜୟ ଉଭୟ ମା’ ଝିଅକୁ ଆଶ୍ରୟ ଦେଇଥିଲା। ପରେ ଅଜୟ ଓ ସଂପୃକ୍ତ ମହିଳା ପତିପତ୍ନୀ ଭାବେ ରହିଥିଲେ। କିନ୍ତୁ ବର୍ଷକ ପୂର୍ବେ ଅଭିଯୁକ୍ତ ଅଜୟର ଅସଲ ଚରିତ୍ର ପଦାକୁ ଆସିଥିଲା। ରକ୍ଷିତାର ଅନୁପସ୍ଥିତିର ସୁଯୋଗ ନେଇ ଅଭିଯୁକ୍ତ ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କରୁଥିଲେ। ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଅଭିଯୁକ୍ତ ନାବାଳିକାକୁ ଧମକଚମକ ଦେଇ ଦୁଷ୍କର୍ମ କରିଥିଲା। ଏଭଳି କୁତ୍ସିତ ଘଟଣା ବିଷୟରେ ଜାଣିବା ପରେ ଅଜୟଙ୍କର ରକ୍ଷିତା ସହିତ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଜୟ ଉଭୟ ମା’ ଝିଅକୁ କଲିକତାରେ ରହୁଥିବା ତାର ବାପା ଘରେ ଛାଡି ଦେଇଥିଲା। ପ୍ରାୟ ମାସେ ପୂର୍ବେ ମହିଳା ଜଣକ ଝିଅକୁ ନେଇ ରାଉରକେଲାର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଜରିଆରେ ସୁନ୍ଦରଗଡ ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ନିକଟରେ ହାଜର ହୋଇ ଅଧ୍ୟକ୍ଷଙ୍କକୁ ଏ ବିଷୟରେ ବିସ୍ତୃତଭାବେ କହିଥିଲେ। ଗତକାଲି ସିଡବ୍ଲ୍ୟୁସି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ଲାଣ୍ଟସାଇଟ୍‌ ଥାନାକୁ ପରାମର୍ଶ ଦେବାପରେ ପୁଲିସ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଅଜୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର