ଝାରସୁଗୁଡ଼ାରୁ ଉଡ଼ିବ ଆଉ ଦୁଇ ବିମାନ : ବେଙ୍ଗାଲୁରୁକୁ ପ୍ରଥମ ବିମାନ ଉଡ଼ାଣ ଖୁବଶୀଘ୍ର

ରାଉରକେଲା ସମେତ ୩ ବିମାନବନ୍ଦରର ବିକାଶ ତ୍ବରାନ୍ବିତ ହେବ

ଭୁବନେଶ୍ବର : ଝାରସୁଗୁଡ଼ା ବିମାନବନ୍ଦରରୁ ଏବେ ୫ଟି ସହରକୁ ବିମାନ ଚଳାଚଳ କରୁଛି। ଏହି ସହରଗୁଡ଼ିକ ହେଲା ଭୁବନେଶ୍ବର, ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା ଓ ରାୟପୁର। ଖୁବ୍ ଶୀଘ୍ର ଏଠାରୁ ଆଉ ଦୁଇଟି ବିମାନ ଉଡ଼ିବ। କୋଲକାତାକୁ ଦ୍ବିତୀୟ ବିମାନ ଯିବା ସହ ବେଙ୍ଗାଲୁରୁକୁ ପ୍ରଥମ କରି ବିମାନ ଉଡ଼ାଣ କରିବ। ଆଜି ଲୋକସେବା ଭବନରେ ‘ଉଡ଼ାନ୍‌’ ଯୋଜନାର ରାଜ୍ୟସ୍ତରୀୟ ମିନଟରିଂ କମିଟି ବୈଠକରେ ଏହି ସୂଚନା ଦିଆଯାଇଛି। ସମ୍ଭବତଃ ନଭେମ୍ବର ‌ମାସରେ ଏହି ଦୁଇଟି ବିମାନ ଚଳାଚଳ ଆରମ୍ଭ ହେବ। ଏହା ବାଦ୍ ରାଉରକେଲା, ଉତ୍‌କେଲା ଓ ଜୟପୁରରେ ବିମାନବନ୍ଦରର ବିକାଶ କାର୍ଯ୍ୟ ତ୍ବରାନ୍ବିତ କରାଯିବ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବୈଠକରେ ଅଧ୍ୟକ୍ଷତା କରି ରାଉରକେଲା ଏୟାରଷ୍ଟ୍ରିପ୍‌ର ସମ୍ପ୍ରସାରଣ କରାଯାଇ ବଡ଼ ବିମାନ ଚଳାଚଳ ପାଇଁ ଉପଯୋଗୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଉରକେଲା ବିମାନବନ୍ଦରରେ ଏବେ ୫୯୦୦ ଫୁଟର ରନ୍‌ୱେ ଅଛି, ଯେଉଁଥି‌େର କି ୧୯ ସିଟ୍‌ ବିଶିଷ୍ଟ ବିମାନ ଉଡ଼ାଣ ହୋଇପାରିବ। ଭୁବନେଶ୍ବର, କୋଲକାତା ଓ ରାୟପୁରକୁ ଏଠାରୁ ବିମାନ ଚଳାଚଳ ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଛି। ବିମାନବନ୍ଦର କର୍ତ୍ତୃପକ୍ଷ ମଧ୍ୟ ବିମାନସେବା ଯୋଗାଉଥିବା କମ୍ପାନିଙ୍କଠାରୁ ଆବେଦନ ଆହ୍ବାନ କରିଛନ୍ତି। ସେହିପରି ଜୟପୁର ବିମାନବନ୍ଦରର ଭିତ୍ତିଭୂମି ପାଇଁ ପୂର୍ତ୍ତ ବିଭାଗ ୫୫ କୋଟି ଟଙ୍କାର ଏକ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରିଥିଲା। ଏଥିରେ ଟର୍ମିନାଲ୍‌ ବିଲ୍‌ଡିଂ, ରନ୍‌ୱେ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ କରାଯାଉଛି। ଏହି କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। କଳାହାଣ୍ଡିର ଉତ୍‌କେଲା ଏୟାରଷ୍ଟ୍ରିପ୍‌ର ବିକାଶ ନେଇ ଏକ ସର୍ଭେ କରାଯାଇଥିଲା। ସର୍ଭେ ରିପୋର୍ଟ ଅନୁଯାୟୀ ଏହି ଏୟାର୍‌ଷ୍ଟ୍ରିପ୍‌ର ବିକାଶ କରାଗଲେ ବିସ୍ଥାପନ ଓ ଥଇଥାନ ନେଇ କୌଣସି ଗୁରୁତର ସମସ୍ୟା ନାହିଁ। ତେଣୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା, ଝାରସୁଗୁଡ଼ା, ଉତ୍‌କେଲା ଓ ଜୟପୁର ଏୟାରଷ୍ଟ୍ରିପ୍‌ ଉଡ଼ାନ୍‌ ଯୋଜନା ପାଇଁ ମନୋନୀତ ହୋଇଥିଲେ। ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ ଓଡ଼ିଶାରେ ଏହି ଯୋଜନାର ତଦାରଖ କରୁଛନ୍ତି। ଉଡ଼ାନ୍‌ ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ଆଞ୍ଚଳିକ ଯୋଗାଯୋଗକୁ ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ସରକାର ମାନବ ସମ୍ବଳ ଓ ଆର୍ଥିକ ସହାୟତା ଯୋଗାଉଛନ୍ତି। ଭାଟ୍‌କୁ ୫ ପ୍ରତିଶତରୁ ୧ ପ୍ରତିଶତକୁ ହ୍ରାସ କରାଯାଇଛି। ରାଜ୍ୟ ସରକାର ଜମି, ସୁରକ୍ଷା ବଳ ଓ ଅଗ୍ନିଶମ ସେବା ଯୋଗାଇ ଦେଉଛନ୍ତି। ପ୍ରତି ବିମାନବନ୍ଦରରେ ୪୩ ସୁରକ୍ଷା କର୍ମଚାରୀ ଓ ୯ ଅଗ୍ନଶମ ସେବା କର୍ମଚାରୀ ପ୍ରତି ବିମାନବନ୍ଦରରେ ମୁତୟନ ହେବେ। ଏହା ବାଦ୍ ଜୟପୁର ଓ ଉତ୍‌କେଲା ବିମାନବନ୍ଦରର ପରିଚାଳନା ପାଇଁ ରାଜ୍ୟ ସରକାର ମାନବ ସମ୍ବଳ ବି ଯୋଗାଇଦେବେ। ପ୍ରତି ବିମାନବନ୍ଦରକୁ ବିଜୁଳି ଓ ପାଣି ରିହାତି ଦରରେ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି।

ବୈଠକରେ ପୁଲିସ୍‌ ଡିଜି ବିଜୟ କୁମାର ଶର୍ମା, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା, ରାଜସ୍ବ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଅଗ୍ନିଶମ ଆଇଜି ଅସିତ ପାଣିଗ୍ରାହୀ, ପୂର୍ତ୍ତ ବିଭାଗ ସଚିବ କ୍ରିଷନ୍ କୁମାର, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ ହିମାଂଶୁ ଭୂଷଣ ପଣ୍ଡାଙ୍କ ସମେତ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର