ଆଉ ଦୁଇଟି ହୋଟେଲରେ ସଙ୍ଗରୋଧ ସୁବିଧା

ଜେଲ୍‌ରୁ କଏଦୀଙ୍କୁ ଛାଡ଼ିବା ପାଇଁ ଉଚ୍ଚସ୍ତରୀୟ ବୈଠକ, ଭିଡିଓ କନଫରେନ୍‌ସିଂ ଜରିଆରେ ହେଲା ବୈଠକ

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ରାଜଧାନୀର ଆଉ ଦୁଇଟି ହୋଟେଲରେ ସଙ୍ଗରୋଧ ସୁବିଧା ଉପଲବ୍ଧ ହେବ। ସେଗୁଡ଼ିକ ହେଲା କଟକରୋଡରେ ଥିବା ପାର୍କ ରିସୋର୍ଟ, ମଞ୍ଚେଶ୍ବରରେ ଥିବା ହୋଟେଲ ପାରାଡାଇଜ୍ କନଭେନସନ୍। ଏଠାରେ ରହିବାକୁ ଥିବା ଲୋକଙ୍କୁ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଏବଂ ୩ଟି ପାଣି ବୋତଲ ବାବଦକୁ ୩୦୦ଟଙ୍କା ଦେବାକୁ ପଡ଼ିବ। ରୁମ୍‌ ଭଡ଼ା ଅଲଗା ଦେବାକୁ ହେବ। ବିଏମ୍‌ସି ପକ୍ଷରୁ ଆଜି ଏହିଭଳି ନିର୍ଦ୍ଦେଶନାମା ବାହାରିବା ପରେ ଲୋକମାନେ ଠକାମିର ଶିକାର ହେବାର ଆଶଙ୍କା ଦେଖାଦେଇଛି। ପୂର୍ବରୁ ଯେଉଁ ହୋଟେଲରେ ସଙ୍ଗରୋଧ ସୁବିଧା ଉପଲବ୍ଧ ହେଉଥିଲା ସେଠାରେ ଲୋକଙ୍କୁ ରୁମ୍‌ ଭଡ଼ା ଓ ଖାଦ୍ୟ ଦେୟ ମିଶାଇ କେତେ ଟଙ୍କା ଦେବାକୁ ହେବ କୁହାଯାଇଥିଲା। ଏବେ କିନ୍ତୁ ଏହି ଦୁଇଟି ହୋଟେଲ ପାଇଁ କେବଳ ଖାଦ୍ୟ ପାଇଁ କେତେ ଟଙ୍କା ଲାଗିବ କୁହାଯାଇଥିବାରୁ ହୋଟେଲ କର୍ତ୍ତୃପକ୍ଷ ଲୋକଙ୍କ ଠାରୁ ରୁମ୍‌ ଭଡ଼ା ବାବଦକୁ ଅଧିକ ଟଙ୍କା ନେବାର ଆଶଙ୍କାକୁ ଏଡ଼ାଇ ହେବନି। କୌଣସି ଘରୋଇ ହୋଟେଲକୁ ସଙ୍ଗରୋଧ କେନ୍ଦ୍ର ଭାବେ ଘୋଷଣା କରିବା ବେଳେ ଏଠାରେ ରହିବାକୁ ଥିବା ଲୋକଙ୍କୁ କେତେ ଟଙ୍କା ଦେବାକୁ ପଡ଼ିବ ସେନେଇ ସ୍ପଷ୍ଟ କରିବା ଦରକାର। ନଚେତ୍ ଲୋକ ଠକାମିର ଶିକାର ହୋଇପାରନ୍ତି।

ଜେଲ୍‌ରୁ କଏଦୀଙ୍କୁ ଛାଡ଼ିବା ପାଇଁ ଉଚ୍ଚସ୍ତରୀୟ ବୈଠକ, ଭିଡିଓ କନଫରେନ୍‌ସିଂ ଜରିଆରେ ହେଲା ବୈଠକ
ଭୁବନେଶ୍ବର : ସାମାଜିକ ଦୂରତା ରକ୍ଷା ଓ କରୋନା ସଂକ୍ରମଣରୁ କଏଦୀମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟର ଅଧିକ ଭିଡ଼ଥିବା ଜେଲ୍‌ଗୁଡ଼ିକରୁ କଏଦୀଙ୍କୁ ମୁକୁଳାଇବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍‌ସିଂ ଜରିଆରେ ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ୩ ଜଣିଆ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ କମିଟିରେ ରାଜ୍ୟ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ଓଡ଼ିଶା ରାଜ୍ୟ ଆଇନ୍‌ ସେବା ପ୍ରାଧୀକରଣ ଅଧ୍ୟକ୍ଷ ଓ ଜେଲ୍‌ ବିଭାଗ ଡିଜି ସଦସ୍ୟ ଅଛନ୍ତି। କେଉଁ କଏଦୀଙ୍କୁ ଜେଲ୍‌ରୁ ମୁକ୍ତି ଦିଆଯାଇପାରିବ, ସେ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। କିନ୍ତୁ ବୈଠକର ନିଷ୍ପତ୍ତି ସମ୍ପର୍କରେ କିଛି ବି ଜଣାପଡ଼ିନି।

କୋଭିଡ୍‌-୧୯ ପରିସ୍ଥିତି ପାଇଁ କଏଦୀଙ୍କୁ ଜେଲ୍‌ରୁ ଖଲାସ କରିବା ପାଇଁ ସମ୍ପୃକ୍ତ କଏଦୀର ଅପରାଧ ଓ ଜେଲ୍‌ ଦଣ୍ଡ ପରିମାଣକୁ ହିସାବକୁ ନିଆଯିବ। ବିଶେଷକରି ବିଚାରାଧୀନ କଏଦୀ ଓ ଯେଉଁ ଅପରାଧ ପାଇଁ ଆର୍ଥିକ ଜରିମାନା ଥାଉ କି ନ ଥାଉ ୭ ବର୍ଷ କିମ୍ବା ତାଠାରୁ କମ୍‌ ବର୍ଷ ଜେଲ୍‌ ଦଣ୍ଡ ମିଳିଥିବ, ସେମାନଙ୍କୁ ଏହି ବିଶେଷ ପରିସ୍ଥିତିରେ ଛାଡ଼ିଦେବାକୁ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଭିଡିଓ କନଫରେନ୍‌ସିଂ ବେଳେ ଭୁବନେଶ୍ବର ଲୋକସେବା ଭବନରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଥିବାବେଳେ କଟକରେ ହାଇକୋର୍ଟ ରେଜିଷ୍ଟ୍ରାର୍‌ ଜେନେରାଲ୍‌, ଜେଲ୍‌ ବିଭାଗ ଡିଜି ଏବଂ ଓଡ଼ିଶା ଆଇନସେବା ପ୍ରାଧୀକରଣ ଅଧ୍ୟକ୍ଷ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର