ଗଳ୍ପ ପାଇଁ ଗାୟତ୍ରୀ, ଅନୁବାଦ ପାଇଁ ସୂର୍ଯ୍ୟମଣି

ଦୁଇ ଓଡ଼ିଆ ଲେଖକଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଜଗତର ଦୁଇ ବରେଣ୍ୟ ଲେଖକ ପାଇବେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର। ‘ଇଟାଭାଟିର ଶିଳ୍ପୀ’ ଗଳ୍ପ ସଂକଳନ ପାଇଁ ବିଶିଷ୍ଟ ଗାଳ୍ପିକା ଗାୟତ୍ରୀ ସରାଫ୍‌ ଓଡ଼ିଆ ଗଳ୍ପ ବର୍ଗରେ ଏହି ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି। ସେହିଭଳି ଇରାବତୀ କାର୍ବେଙ୍କ ମରାଠୀ ପୁସ୍ତକ ‘ଯୁଗାନ୍ତ’ର ଅନୁବାଦ ପାଇଁ ଅନୁବାଦ ପୁରସ୍କାର ପାଇବେ ସୂର୍ଯ୍ୟମଣି ଖୁଣ୍ଟିଆ। ଆଜି ନୂଆଦିଲ୍ଲୀରେ ଅକାଦେମି ପକ୍ଷରୁ ୨୪ଟି ଭାଷା ପାଇଁ ୨୦୧୭ ମସିହାର ପୁରସ୍କାର ଘୋଷଣା ବେଳେ ଏହି ସୂଚନା ପ୍ରଦାନ କରାଯାଇଛି। ଆସନ୍ତାବର୍ଷ ଫେବ୍ରୁଆରି ୧୨ ତାରିଖରେ ନୂଆଦିଲ୍ଲୀରେ ଅକାଦେମିର ସାହିତ୍ୟ ଉତ୍ସବରେ ଶ୍ରୀମତୀ ସରାଫଙ୍କୁ ତାମ୍ରଫଳକ ସହ ୧ଲକ୍ଷ ଟଙ୍କା ଏବଂ ଶ୍ରୀ ଖୁଣ୍ଟିଆଙ୍କୁ ତାମ୍ରଫଳକ ସହ ୫୦ ହଜାର ଟଙ୍କାର ଅର୍ଥରାଶି ଦେଇ ସମ୍ମାନିତ କରାଯିବ।

ଗୀତି କବିତା ଲେଖାରୁ ନିଜ ସୃଜନ ଯାତ୍ରା ଆରମ୍ଭ କରିଥିବା ଗାୟତ୍ରୀ ସରାଫ୍‌ ୧୭ ଅଗଷ୍ଟ ୧୯୫୨ରେ ବଲାଙ୍ଗୀରରେ ଜନ୍ମ ଗ୍ରହଣ କରିଥିଲେ। ‘ମୀନାବଜାର’ ଏବଂ ‘ସୁଚରିତା’ରେ ତାଙ୍କର ଗପ ପ୍ରକାଶ ପାଇବା ପରେ ୧୯୮୮ରେ ପ୍ରଥମ ଗପ ବହି ‘ଆଲୋକିତ ଅନ୍ଧାର’ ପ୍ରକାଶ ପାଇଥିଲା। ପରେ ସେ ଆଇନାର ଜହ୍ନ, ନିଜସ୍ୱ ବସନ୍ତ, ପ୍ରେମିକା ପରି କେହି ଜଣେ, ବାପା ଭଲ ଅଛନ୍ତି, ନୀଳ ଜହ୍ନର ଜୁଇ, ସ୍ମୃତିର ଚିତ୍ର ନଦୀ, ଶେଷ ବିଦାୟର ଗୀତ, ଛାଇର ବମୁର ଗଛ, ବର୍ଷାର ଓଢ଼ଣା ତଳେ, ଅସିଦ୍ଧ ଅଧ୍ୟାୟ, ଅନାହତ ପରମ୍ପରା, ଶ୍ରେଷ୍ଠ ଗଳ୍ପ ଓ କେହି ତ ଜଣେ ଭଳି ୧୫ଟି ପୁସ୍ତକ ରଚନା କରି ପାଠକ ମହଲରେ ଶ୍ରଦ୍ଧାଭାଜନ ହୋଇପାରିଛନ୍ତି। ‘ଇଟାଭାଟିର ଶିଳ୍ପୀ’ରେ ଦାଦନ ଖଟିବାକୁ ଯାଇଥିବା ଜଣେ ପିଲାର କରୁଣ କାହାଣୀ ଅତି ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି। ଶ୍ରୀମତୀ ସରାଫ୍‌ ଶ୍ରେଷ୍ଠ ଶିକ୍ଷୟିତ୍ରୀ ଭାବେ ୨୦୦୫ରେ ରାଷ୍ଟ୍ରପତି ପୁରସ୍କାର ଗ୍ରହଣ କରିଥିବା ବେଳେ ଏବେ ଓଡ଼ିଶା ସାହିତ୍ୟ ଏକାଡେମିର ଉପସଭାପତି ଭାବେ କାର୍ଯ୍ୟରତ।

ପୁରସ୍କାର ପ୍ରତିକ୍ରିୟାରେ ଶ୍ରୀମତୀ ସରାଫ୍‌ କହିଛନ୍ତି, ମୋ ଗପ ପଢ଼ିବା ପରେ ଏବଂ ପୁରସ୍କାର ପାଇବା ପରେ ଲେଖକ ଲେଖିକା ଓ ପାଠକପାଠିକାଙ୍କ ଶୁଭେଚ୍ଛା ମତେ ବହୁତ ଭଲ ଗପ ଲେଖିବାକୁ ପ୍ରେରିତ କରିଛି। ସେମାନଙ୍କ ଋଣ ମୁଁ କେବେହେଲେ ଶୁଝିପାରିବି ନାହିଁ।

ସେହିପରି ଅନୁବାଦ ପୁସ୍ତକ ‘ଯୁଗାନ୍ତ’ର ଲେଖକ ସୂର୍ଯ୍ୟମଣି ଖୁଣ୍ଟିଆ ୧୯୫୨ ମସିହାରେ ଯାଜପୁର ଜିଲ୍ଲାର ବେଗନା ଗାଁ’ରେ ଜନ୍ମ ଗ୍ରହଣ କରିଛନ୍ତି। ଏଯାବତ ସେ ୨୪ଟି ପୁସ୍ତକ ଲେଖିଛନ୍ତି। ନୀଳ ନଦୀର ଚନ୍ଦ୍ରଭାଗା, ନଦୀର ନାମ ମହାନଦୀ, ଆହତ ବଂଶୀ, ଶେଷ ରାତ୍ରିର ରଙ୍ଗ, ସୂର୍ଯ୍ୟ ଉଇଁବାର ବେଳ, ଉତ୍ତର ପୁରୁଷ, ରାଧେୟ, ରାବଣ, ବର୍ଣ୍ଣାଭ ଦିଗନ୍ତ, ଶ୍ରୀମଦ ଭାଗବତର ଶେଷକଥା, ଗୁପ୍ତ ନବଦ୍ୱୀପ, ଦେବଦର୍ଶନ, ଚା ବଗିଚାରେ ଦୁଇଟି ଝିଅ, ଢାବା ଓ ଖେଳଣା ଆଦି ପୁସ୍ତକ ରଚନା କରିଥିବା ଶ୍ରୀ ଖୁଣ୍ଟିଆ କୋରାଇ ମଣ୍ଡଳ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ। ‘ଲାଲ୍‌ ସାଲଓ୍ଵାର’ ପୁସ୍ତକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମିର ଅନୁବାଦ ପୁରସ୍କାର ପାଇ ସାରିଛନ୍ତି। ନିଜ ପ୍ରତିକ୍ରୟାରେ ଶ୍ରୀ ଖୁଣ୍ଟିଆ ଆଗାମୀ ଦିନରେ ଆହୁରି ଓଡ଼ିଆ ବହିକୁ ବଙ୍ଗଳା ଓ ଅନ୍ୟ ଭାଷାରେ ଅନୁବାଦ କରିବି ବୋଲି କହିଛନ୍ତି।

ଚଳିତ ବର୍ଷ ପ୍ରଫେସର ମଧୁସୂଦନ ପତି, ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, ଡ.ସୌଭାଗ୍ୟ ମିଶ୍ର ଓଡ଼ିଆ ଭାଷାରେ ଅକାଦେମିର ଗଳ୍ପ ପୁରସ୍କାର ପାଇଁ ବିଚାରକ ଥିବାବେଳେ ଅନୁବାଦ ପୁରସ୍କାର ପାଇଁ ବିଚାରକ ଥିଲେ ପ୍ରଫେସର ପଞ୍ଚାନନ ମହାନ୍ତି, ପ୍ରଫେସର ସଂଘମିତ୍ରା ମିଶ୍ର ଏବଂ ଡ.କୃଷ୍ଣଚନ୍ଦ୍ର ଭୂୟାଁ।

ସମ୍ବନ୍ଧିତ ଖବର