ଲମ୍ବୁଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ତାଲିକା: ଆଜି ଡିଏଫଓଙ୍କ ପରେ ବିଦା ହେଲେ ୨ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଉଚିତ୍‌ ଶିକ୍ଷା ଦେଇଛନ୍ତି। ଓଡ଼ିଶା ବନ ସେବା ଅଧିକାରୀ ତଥା ପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କ ପରେ ରାଜ୍ୟ ସରକାର ନିର୍ବାହୀ ଯନ୍ତ୍ରୀ ପ୍ରାଣକୃଷ୍ଣ ପ୍ରସାଦ ଓ ଉମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ପ୍ରାଣକୃଷ୍ଣଙ୍କୁ ଆରଡବ୍ଲୁ ବିଭାଗର ଦୁର୍ନୀତିଗ୍ରସ୍ତ ଅଧିକାରୀ ଦର୍ଶାଯାଇଛି। ଅତୀତରେ ସେ ଲାଞ୍ଚ ନେଉଥିବା ସମୟରେ ଭୁବନେଶ୍ୱର ଓ କଟକ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ସେହିପରି ଉମେଶ ଚନ୍ଦ୍ର ତ୍ରିପାଠୀ ଲାଞ୍ଚ ନେଉଥିବା ବେଳେ କେରାପୁଟ ଭିଜିଲାନ୍ସ ହାତରେ ୪ ଥର ଧରାପଡ଼ିଥିଲେ।

ସୂଚନାଯୋଗ୍ୟ,୨୦୧୬ ମସିହାରେ ଆଠଗଡ଼ ଡିଏଫଓ ଥିବା ବେଳେ ଭିଜିଲାନ୍ସ ଜାଲରେ ସୁଧାଂଶୁ ଶେଖର ମିଶ୍ର ପଡ଼ିଥିଲେ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ଚଢ଼ାଉ କରିଥିଲା । ସେହି ସମୟରେ ସୁଧାଂଶୁ ଶେଖର ମିଶ୍ରଙ୍କ ଘରୁ ଭିଜିଲାନ୍ସ ଚଢ଼ାଉ ବେଳେ ୧କୋଟିରୁ ଅଧିକ ନଗଦ ଟଙ୍କା ମିଳିଥିଲା । ଏହାଛଡ଼ା ବ୍ୟାଙ୍କରେ ୩.୪୬ କୋଟି ଟଙ୍କା ଜମା ଥିବାର ବି ଜଣାଯାଇଥିଲା। ଖାଲି ସେତିକି ନୁହେଁ, ତାଙ୍କଠାରୁ ପ୍ରାୟ ସାଢ଼େ ୫କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ମିଳିଥିଲା ।ଏହାପରେ ଦୁର୍ନୀତି ଅଭିଯୋଗରେ ସୁଧାଂଶୁଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କୁ ଚାକିରିରୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ତାଙ୍କୁ ୨୦୧୬ ମସିହା ଫେବୃଆରି ୨୫ ତାରିଖରେ ଗିରଫ କରାଯିବାପରେ ନିଲମ୍ବିତ କରାଯାଇଥିଲା।

ସମ୍ବନ୍ଧିତ ଖବର