ହାତୀ ଶିକାର ପାଇଁ ବୁଲୁଥିଲେ ଜଙ୍ଗଲରେ : ବାବୁଲିର ଦୁଇ ସହଯୋଗୀ ଗିରଫ, ବନ୍ଧୁକ, ଗୁଳି, ବିସ୍ଫୋରକ ଜବତ

କଟକ : ଦନ୍ତା ଶିକାର ଯୋଜନାରେ ବୁଲୁଥିଲେ ଜଙ୍ଗଲରେ। କ୍ୟାମ୍ପ ପକାଇ କରିଥାନ୍ତେ ଦନ୍ତା ଶିକାର। ପାଖରେ ରଖିଥିଲେ ଦେଶୀ ବନ୍ଧୁକ, ଗନ୍ ପାଉଡର, ଗୁଳି ଓ ଛୁରି ସହ ଖାଦ୍ୟ ସାମଗ୍ରୀ। କରଡା ସଂରକ୍ଷିତ ଜଙ୍ଗଲରେ ସେମାନେ ବୁଲୁଥିବା ଖବର ପାଇ ବନବିଭାଗର ସ୍ବତନ୍ତ୍ର ସ୍କ୍ବାଡ ଚଢାଉ କରି ଦୁଇ ଶିକାରୀଙ୍କୁ ସନ୍ଦେହଜନକ ଅବସ୍ଥାରେ କାବୁ କରି ନେଇଥିଲା। ଜେରା ସମୟରେ ଜଣା ପଡିଥିଲା ଯେ ସେମାନେ ୨୦ରୁ ଅଧିକ ଦନ୍ତା ଶିକାରରେ ସଂପୃକ୍ତ ଅଭିଯୋଗରେ ଗିରଫ ହୋଇଥିବା କୁଖ୍ୟାତ ଶିକାରୀ ବାବୁଲି ମହାଳିକର ସହଯୋଗୀ। ଏହି ଦୁଇ ଜଣ ହେଉଛନ୍ତି ବଡମ୍ବା ବନାଞ୍ଚଳର କଜଳବେଢା ଗ୍ରାମର ମନୋଜ କୁମାର ବେହେରା(୩୫) ଓ ବାଞ୍ଜବେରଣା ଗାଁର ଗୌରାଙ୍ଗ ଦେହୁରୀ (୪୫)। ବନ ବିଭାଗ ସେମାନଙ୍କୁ ଗିରଫ କରିବା ସହିତ ଜେଲରେ ଥିବା ବାବୁଲିକୁ ରିମାଣ୍ଡରେ ଆଣି ସାମନା ସାମନି ଜେରା ପାଇଁ ଯୋଜନା କରିଛି। ଏହି ତିନି ଜଣଙ୍କୁ ସାମ୍ନାସାମ୍ନି ଜେରା କରାଗ‌ଲେ ଅନେକ ଦନ୍ତା ଶିକାର ଗୁମର ଖୋଲିବ ବୋଲି ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର