ବିବାଦରେ କଳାହାଣ୍ଡି ପୁଲିସ: ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ସାଧାରଣରେ ଅସନ୍ତୋଷ

ଗତ ୧୫ ଦିନରେ ଜିଲ୍ଲାରେ ୨ କଏଦୀ ଚମ୍ପଟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ କରୋନା ମୁକାବିଲା ନେଇ ଲକଡାଉନ ବେଳେ ପ୍ରଥମ ଦିନରେ କଳାହାଣ୍ଡି ପୁଲିସର ଦବଙ୍ଗଗିରି ଦେଖିବାକୁ ମିଳିଥିଲା । ପ୍ରଥମ ଦିନରେ ମାଣିକେଶ୍ୱରୀ ହାଇସ୍କୁଲ ଛକ, ଘୋଡାଘାଟ ଛକ ସମେତ ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କୁ ସଚେତନ କରିବା ପରିବର୍ତ୍ତେ ପୁଲିସ ଦବଙ୍ଗଗିରି ଦେଖାଇ ନିସ୍ତୁକ ମାଡ଼ ମାରିଥିବା ଦେଖା ଯାଇଥିଲା । ଘୋଡ଼ାଘାଟ ଛକ ଠାରେ ଦୂରଦର୍ଶନର ସାମ୍ବାଦିକ ସୁନୀଲ ପାଢ଼ୀ ପୁଲିସର ଦୁର୍ବ୍ୟବହାର ଶିକାର ହୋଇଥିଲେ।
ଗତକାଲି ସନ୍ଧ୍ୟାରେ ଖୋଦ ପୁଲିସ ଏସପି ଜେଲ ନିକଟରେ କରୋନା ଭାଇରସ ସମ୍ପର୍କିତ ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିିନିଧି ରଜତ ପଟ୍ଟନାୟକଙ୍କୁ  ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ତାଙ୍କ ସାମ୍ବାଦିକ ପରିଚୟ ପତ୍ରକୁ ଚିରିଦେବା ସହ ତାଙ୍କ ବାଇକକୁ ଜବତ କରି ଟାଉନ ଥାନାକୁ ନିଆ ଯାଇଥିଲା । ସାମ୍ବାଦିକ ମହଲରେ କ୍ଷୋଭ ପ୍ରକାଶ କରି କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟି ଅସନ୍ତୋଷ ଜାହିର କରିଥିଲେ ।
ସାମ୍ବାଦିକ  ରଜନୀ ମିଶ୍ର, ମନୋଜ ନାୟକ, ସନ୍ତୋଷ ପ୍ରଧାନ, ମନମୋହନ ପ୍ରଧାନ, ସୁନିଲ ପାଢ଼ୀ, ରାଜ କୁମାର ସିଂଦେଓ ଝସ ଧଙ୍ଗଡା ମାଝୀ, ରଜତ ପଟ୍ଟନାୟକ ଓ ଭାନୁ ପ୍ରକାଶ ରଥ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟିଥିଲେ ଏବଂ ଏ ନେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବୀ ଜଣାଇଥିଲେ। କଳାହାଣ୍ଡି ଜିଲ୍ଲାପାଳ କଳାହାଣ୍ଡି ଏସପିଙ୍କୁ ଅବଗତ କରାଇଥିଲେ । ପରେ ଟାଉନ ଥାନା ଆଇଆଇସି ସମ୍ପୃକ୍ତ ସାମ୍ବାଦିକଙ୍କୁ ଡାକି ଭୁଲବୁଝାମଣା ଯୋଗୁଁ ଏଭଳି ହୋଇଥିବା କହିଥିଲେ ଏବଂ ବାଇକକୁ ଫେରାଇ ଦେଇଥିଲେ ।
ଜିଲ୍ଲାରେ ଲକଡାଉନ ବେଳେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟ ପକ୍ଷରେ ଗତ ୧୫ ଦିନରେ ୨ ଜଣ କଏଦୀ ଫେରାର ହେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭବାନୀପାଟଣା ଟାଉନଥାନାରେ ଗଞ୍ଜେଇ ଜବତ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଭବାନୀପାଟଣା ଡାକ୍ତରଖାନାରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିଲା । ଏପର୍ଯ୍ୟନ୍ତ ପୁଲିସ ଫେରାର ଅଭିଯୁକ୍ତକୁ ପୁଲିସ ଠାବ କରିବାରେ ସକ୍ଷମ ହୋଇନାହିଁ । ଗତକାଲି କେଗାଁ ଥାନାର ଜଣେ ଅଭିଯୁକ୍ତ ଧର୍ମଗଡ଼ ଜେଲରୁ ଚିକିତ୍ସା ପାଇଁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା । ଜେଲ କର୍ମଚାରୀଙ୍କ ଉପସ୍ଥିତିରେ କଏଦୀ ଜଣକ ଚମ୍ପଟ ମାରିଥିଲା । ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଫେରାର କଏଦୀ ଠାବ ହୋଇ ପାରି ନଥିଲା । ଏହି ୨ ଘଟଣା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।
ଏ ନେଇ କଳାହାଣ୍ଡି ପୁଲିସ ଏସପି ବାତୁଲା ଗଙ୍ଗାଧରଙ୍କୁ ପଚରାଯିବାରୁ ସେ କହିଥିଲେ, ଡିପିଆରଓ (ଜିଲ୍ଲା ଲୋକ ସଂପର୍କ ଅଧିକାରୀ)ଙ୍କ ସ୍ୱୀକୃତି ପତ୍ର ନଦେଖାଇଲା ପର୍ଯ୍ୟନ୍ତ ଥାନାରେ ବାଇକ ରହିବ । କିନ୍ତୁ ସେ ସାମ୍ବାଦିକଙ୍କ ପରିଚୟ ପତ୍ର ଚିରିଦେବା ଘଟଣାକୁ ଖଣ୍ଡନ କରିଥିଲେ ।
ସମ୍ବନ୍ଧିତ ଖବର