ଖରିଦାରେ ଦୁଇବଖରା ଘର ଜଳିଗଲା : ନିଆଁ ମୁହଁରୁ ତିନି ଝିଅକୁ ବଞ୍ଚାଇଲା ମା’

ଜଳେଶ୍ବର : ହୁତୁହୁତୁ ହୋଇ ଜଳୁଥିଲା ଘର। ନିଆଁ ଭିତରେ ତିନିଟି ‌କୋମଳମତି ଛୁଆ ସହ ଫସି ରହିଥିଲେ ଜଣେ ମହିଳା। ଏହି ସମୟରେ ଉପସ୍ଥିତ ବୁଦ୍ଧି ଓ ସାହସ ଦେଖାଇ ମହିଳାଜଣକ ତିନି ଛୁଆ ସହ ନିଜକୁ ସୁରକ୍ଷିତ ଭାବେ ଉଦ୍ଧାର କରିନେଇଥିଲେ। ନିଜ ଛୁଆଙ୍କୁ ବଞ୍ଚାଇବା ପାଇଁ ଜୀବନକୁ ବାଜି ଲଗାଇ ଦେଇଥିବା ଜଳେଶ୍ବର ବ୍ଲକ ଅଧୀନ ବର୍ତ୍ତନା ପଞ୍ଚାୟତର ଖରିଦା ଗ୍ରାମର ଏହି ମା’ଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ଗ୍ରାମର ଉଦୟ ମହାଳିକ ଗତକାଲି ଘରେ ନ ଥିବା ବେଳେ ନିଜ ତିନି କୋମଳମତି ଝିଅକୁ ଧରି ତାଙ୍କ ପତ୍ନୀ ମମତା ଘରେ ଶୋଇଥିଲେ। ତେବେ ବିଳମ୍ବିତ ରାତିରେ ସାମାନ୍ୟ ଗରମ ଲାଗିବାରୁ ମମତାଙ୍କ ନିଦ ଭାଙ୍ଗିଯାଇଥିଲା। ଆଉ ଆଖି ଖୋଲିବା ମାତ୍ରେ ଘରର ଚାରିପଟେ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ। ଚାଳଛପର ଉପରେ ବି ନିଆଁ ଜଳୁଥିଲା। କିଛି ବୁଝିବା ପୁର୍ବରୁ ନିଜ ଝିଅମାନଙ୍କ ଜୀବନ ବଞ୍ଚାଇବା ତାଙ୍କର ପ୍ରଥମ କାମ ବୋଲି ସେ ଭାବି ନେଇଥିଲେ। ଆଉ ନିଜ ଜୀବନକୁ ବାଜି ଲଗାଇ ସେହି ଜଳନ୍ତା ଘର ଭିତରୁ ମମତା ଜଣକ ପରେ ଜଣେ ଏହିପରି ନିଜର ତିନି ଝିଅକୁ ଘର ଭିତରୁ ସୁରକ୍ଷିତ ଭାବେ ପଦାକୁ ଆଣିଥିଲେ। ଏହି ସମୟରେ ସେ ନିଜେ ଖାଣ୍ଡିଆଖାବରା ହେବା ସହ ସାମାନ୍ୟ ପୋଡ଼ିଯାଇଥିଲେ। ତେବେ ନିଆଁ କବଳରୁ ନିଜ ଝିଅମାନଙ୍କ ଜୀବନ ଏହିପରି ବଞ୍ଚାଇବା କ୍ଷେତ୍ରରେ ମମତାଙ୍କ ଏପରି ସାହସିକତାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ରାତି ପ୍ରାୟ ଅଢ଼େଇଟା ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର