‘ସମ୍ବାଦ’ ପ୍ରଭାବ : ଦୁଇ ମେଧାବୀ ଭଉଣୀଙ୍କୁ ନ୍ୟାୟ ମିଳିଲା

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସାର୍ଟିଫିକେଟ ଫେରାଇଲେ ସ୍କୁଲ କର୍ତ୍ତୃପକ୍ଷ, ସହଯୋଗ ପାଇଁ ବିଭିନ୍ନ ମହଲରୁ ପ୍ରତିଶ୍ରୁତି

ରାଉରକେଲା : ସ୍କୁଲ ଫି’ ଦେଇ ନପାରିବାରୁ ଦୁଇ ମେଧାବୀ ଭଉଣୀଙ୍କ ସାର୍ଟିଫିକେଟ ବନ୍ଧକ ପଡ଼ିବା ଖବର ‘ସମ୍ବାଦ ଓ ‘କନକ ନ୍ୟୁଜ୍‌’ରେ ପ୍ରସାରଣ ପରେ ଆଜି ଦୁଇ ଭଉଣୀଙ୍କୁ ନ୍ୟାୟ ମିଳିଛି। ଦୁଇ ଭଉଣୀ ଜୟଶ୍ରୀ ଓ ଭାଗ୍ୟଶ୍ରୀ ସିଂଙ୍କୁ ଜଗଦା ସ୍ଥିତ ସେଣ୍ଟ୍‌ ମ୍ୟାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କର୍ତ୍ତୃପକ୍ଷ ସାର୍ଟିଫିକେଟ ପ୍ରଦାନ କରିଛନ୍ତି। ତେଣୁ ସେମାନଙ୍କର ଦୀର୍ଘ ଅଢ଼େଇ ବର୍ଷର ମାନସିକ ନିର୍ଯାତନାର ଅନ୍ତ ହୋଇଛି। ଅନ୍ୟପକ୍ଷରେ ଏହି ଖବର ପ୍ରକାଶିତ ହେବାପରେ ଚାରିଆଡ଼ୁ ଦୁଇ ଭଉଣୀଙ୍କୁ ସହଯୋଗ ଓ ସହାୟତାର ପ୍ରତିଶ୍ରୁତି ମିଳିଛି। କିନ୍ତୁ ଦୁଇ ମେଧାବୀ ଭଉଣୀ ଉଚ୍ଚଶିକ୍ଷାର ଯେଉଁ ସ୍ବପ୍ନ ଦେଖିଥିଲେ, ଅଢ଼େଇ ବର୍ଷ ପାଠ ବନ୍ଦ ହେବାପରେ ତାର ଭବିଷ୍ୟତ କଣ ହେବ, ତାହା କୁହାଯାଇ ପାରୁନାହିଁ। ଅପରପକ୍ଷରେ ଗତ ଅଢ଼େଇ ବର୍ଷ ଧ‌ରି ସେମାନେ ଯେଉଁ ମାନସିକ ନିର୍ଯାତନାର ସମ୍ମୁଖୀନ ହୋଇଛନ୍ତି, ସେଥିପାଇଁ ଦାୟୀ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେବ ନା ଜିଲ୍ଲା ଶିକ୍ଷା ବିଭାଗ ଚିରାଚରିତ ଆପୋଷ ବୁଝାମଣାକରି କ୍ଲିନ୍‌ଚିଟ୍‌ ଦେବ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଦୁଇ ଭଉଣୀଙ୍କ ଗତ ଅଢ଼େଇ ବର୍ଷର ଦୁଃଖଦ କାହାଣୀ ବିଷୟରେ ଆଜି ‘ସମ୍ବାଦ ଓ ‘କନକ ନ୍ୟୁଜ୍‌’ରେ ଖବର ଆସିବାପରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ହସ୍ତକ୍ଷେପ କରିଥିଲେ। ଦୁଇ ଭଉଣୀଙ୍କୁ ତୁରନ୍ତ ସାର୍ଟିଫିକେଟ ଦେବାକୁ ସେ ସେଣ୍ଟ୍‌ ମ୍ୟାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅଧ୍ୟକ୍ଷ ବିନୋଦ ପି. ଡାନିଏଲଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶାନାମା ମିଳିବା ପରେ ସ୍କୁଲ କର୍ତ୍ତୃପକ୍ଷ ଗଣମାଧ୍ୟମ ଜରିଆରେ ଦୁଇ ଭଉଣୀଙ୍କୁ ସାର୍ଟିଫିକେଟ ନେବାକୁ ଅନୁରୋଧ କରିଥିଲେ। ଦୀର୍ଘ ଅଢ଼େଇ ବର୍ଷ ପରେ ସାର୍ଟିଫିକେଟ ମିଳିବା ଖବର ପାଇ ଦୁଇ ଭଉଣୀଙ୍କ ମୁହଁରେ ହସ ଫୁଟିଥିଲା। ମା ପ୍ରମିଳା ସିଂଙ୍କ ସହ ଦୁଇ ଭଉଣୀ ଜୟଶ୍ରୀ ଓ ଭାଗ୍ୟଶ୍ରୀ ରିଉଁରୁ ଚାଲିଚାଲି ଆସିବାପରେ ଡଙ୍ଗାରେ କୋଏଲ ନଦୀ ପାରି ହୋଇ ସ୍କୁଲରେ ପହଞ୍ଚିଥିଲେ। ସ୍କୁଲରେ ପହଞ୍ଚିବାପରେ ସେମାନଙ୍କୁ ତୁରନ୍ତ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ତେବେ ଅଧ୍ୟକ୍ଷ ଶ୍ରୀ ଡାନିଏଲ ନିଜର ଅଧସ୍ଥନ କର୍ମଚାରୀଙ୍କୁ ସାର୍ଟିଫିକେଟ ଦେଇଦେବାକୁ କହି ନିଜେ ଅନୁପସ୍ଥିତ ରହିଥିଲେ।

ସାର୍ଟିଫିକେଟ ମିଳିବାର ଖୁସି ଦୁଇ ଭଉଣୀଙ୍କୁ ଖୁବ୍ ଆନନ୍ଦିତ କରିଥିବାବେଳେ ସେମାନଙ୍କ ମୁହଁରେ ଭବିଷ୍ୟତ ଚିନ୍ତା ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ଦୁଇ ଭଉଣୀ ‘ସମ୍ବାଦ’ଓ ‘କନକ ନ୍ୟୁଜ୍‌ ପାଇଁ ହିଁ ‌ସେମାନଙ୍କ ଅଢ଼େଇ ବର୍ଷର ଯାତନାର ଅନ୍ତ ହୋଇଛି ବୋଲି କହିଥିଲେ। ତେବେ ଗତ ଅଢ଼େଇ ବର୍ଷ ହେଲା ପାଠଠାରୁ ଦୂରେଇ ରହିଛୁ। ଡାକ୍ତର, ଇଂଜିନିଅର ହେବାର ସ୍ବପ୍ନ ମିଳେଇଗଲାଣି। କଣ ହେବ ଭବିଷ୍ୟତ, ତାହା ଏବେ ବିରାଟ ପ୍ରଶ୍ନବାଚୀ। ଅନ୍ୟ କୌଣସି ଛାତ୍ର ଛାତ୍ରୀଙ୍କ ଜୀବନରେ ଏମିତି ନଘଟୁ ବୋଲି ଦୁହେଁ ସେମାନଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।

ତେବେ ଗୋଟିଏ ଭଲ ଖବର ହେଉଛି, ଦୁଇ ଭଉଣୀଙ୍କ ସଂଘର୍ଷ ବିଷୟରେ ଆଜି ପ୍ରକାଶିତ ହେବାପରେ, ସବୁ ମହଲରୁ ସହଯୋଗର ହାତ ବଢ଼ିଛି। ବିଧାନସଭାରେ ବିରୋଧୀ ଦଳର ନେତା ପ୍ରଦୀପ ନାୟକ ଦୁଇ ମେଧାବୀ ଛାତ୍ରୀଙ୍କ ମାଙ୍କ ସହ ଫୋନ୍‌ରେ କଥାହୋଇ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏମିତିକି ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ରାଜ୍ୟର ବହୁ ନାମକରା ବେସରକାରୀ ମହାବିଦ୍ୟାଳୟ ଓ ସାଧାରଣ ଲୋକ ମଧ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଶେଷରେ ଦୁଇ ଭଉଣୀ ନ୍ୟାୟ ପାଇଛନ୍ତି ସତ, କିନ୍ତୁ ଏ ବିଳମ୍ବିତ ନ୍ୟାୟ ସେମାନଙ୍କର ଜୀବନକୁ ଆଉଥରେ ସଳଖ କରି ପାରିବ ତ? ଇଂରାଜୀ ସ୍କୁଲଗୁଡ଼ିକର ଏକଛତ୍ରବାଦ ନୀତି ପ୍ରତି ଆଖିବୁଜି ଦେଇଥିବା ଶିକ୍ଷା ବିଭାଗ ଏଥର ଚେଇଁବ କି? ଏଭଳି ଅନେକ ପ୍ରଶ୍ନର ଉତ୍ତର ମିଳିବାକୁ ଏବେ ବି ବାକି ରହିଛି।

ସମ୍ବନ୍ଧିତ ଖବର