ଦାରିଦ୍ର୍ୟ, ପାରିବାରିକ ଅଶାନ୍ତିରୁ ଚରମ ନିଷ୍ପତ୍ତି : ବିଷ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ଭଞ୍ଜନଗର/କବିସୂର୍ଯ୍ୟନଗର : ସବୁଠି ରଜ ଉତ୍ସବର ଉଲ୍ଲାସ। ଏପଟେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗୁଡିଆଳି ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ଦାରିଦ୍ର୍ୟ ଓ ପାରିବାରିକ ଅଶାନ୍ତିରେ ଅତିଷ୍ଠ ଦୁଇ ଭଉଣୀ ବିଷ ପିଇ ଜୀବନ ହାରିଛନ୍ତି। ସେମାନେ ହେଲେ ଗ୍ରାମର ପଦ୍ମନାଭ ଭୂୟାଁଙ୍କ ଦୁଇ ଝିଅ ଦୀପା ଭୂୟାଁ(୧୭) ଓ ଜିତା ଭୂୟାଁ(୧୧)। ଏକାଠି ଜଳିଛି ଦୁଇ ଭଉଣୀଙ୍କ ଜୁଇ। ରଜ ପାଇଁ ଗାଁ ଉତ୍ସବମୁଖର ହେବା ବଦଳରେ ଶୋକର ଛାୟା ଖେଳିଯାଇଛି।

ପଦ୍ମନାଭ ଗତ ୨୨ ବର୍ଷ ତଳେ ଗଂଜାମ ଢ଼ିଙ୍କିଶାଳ ଗ୍ରାମର ରୀନା ଭୂୟାଁଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇ ଝିଅ ଦୀପା(ବଡ଼), ଜିତା(ସାନ) ଏବଂ ଗୋଟିଏ ପୁଅ ଅଂଶୁ। ୪ ବର୍ଷ ପୂର୍ବେ ରୀନାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହାର ବର୍ଷକ ପରେ ପଦ୍ମନାଭ ଶେରଗଡ଼ ପଞ୍ଚାୟତ ଖମାର ଗ୍ରାମର ନମିତା ଭୂୟାଁଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଦ୍ବିତୀୟ ପତ୍ନୀ ନମିତାଙ୍କର ମଧ୍ୟ ‌ଗୋଟିଏ ପୁଅ। ପଦ୍ମନାଭ ଜଣେ ଦିନ ମଜୁରିଆ। ସେ ଗାଁରେ ନରହି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ସବୁବେଳେ ଯାଉଥିଲେ। ଗୋଟିଏ ବଖରା ଟିଣ ଘରେ ସମସ୍ତେ ରହୁଥିଲେ। ନମିତାଙ୍କ କହିବାନୁଯାୟୀ, ଦୀପା ୯ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ବେଳେ ତା’ର ମା’ଙ୍କ ମୃତ୍ୟୁ ପରେ ସେ ଅଧାରୁ ପାଠ ପଢ଼ା ଛାଡି ଦେଇଥିଲେ। କିନ୍ତୁ ସାନ ଝିଅ ଜିତା ଗାଁ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲା। ପରିବାରରେ ଅର୍ଥାଭାବ ସବୁବେଳେ ଲାଗି ରହୁଥିଲା। ଦୀପା ବେଳେ ବେଳେ ଗାଁ ବଡକିଆରୀ ସାହିରେ ମିକ୍ସର ‌ଫ୍ୟାକ୍ଟ୍ରିରେ କାମ କରି କିଛି ଟଙ୍କା ଆଣୁଥିଲେ। ୬ ଦିନ ତଳେ ପଦ୍ମନାଭ ସୁରତରୁ ଗାଁକୁ ଆସିଥିଲେ ହେଁ ‌ମଦ୍ୟପାନ କରିବା ସହ ସ୍ତ୍ରୀ ଓ ପିଲାଙ୍କୁ ମାରପିଟ କରିଥିଲେ। କିନ୍ତୁ ଗତକାଲି ରାତିରେ ଦୁଇ ଭଉଣୀ ବିଷ ପିଇ ଦେଇଥିଲେ। ଦୀପା ଓ ଜିତା ତଳେ ପଡ଼ିଯିବା ସହ ବାନ୍ତି କରିବା ଦେଖି ଗ୍ରାମବାସୀ ସେମାନଙ୍କୁ କବିସୂର୍ଯ୍ୟନଗର ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଜିତାଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଦୀପାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା। ମାତ୍ର ସେଠାରେ ଡାକ୍ତର ଦୀପାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୁଲିସ ଖବର ପାଇ ପହଞ୍ଚି ତଦନ୍ତ ଆରମ୍ଭ କରିଥ‌ିଲା। ଏନେଇ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ତପନ କୁମାର ପତି କହିଛନ୍ତି। ‌

ଦୁଇ ଭଉଣୀଙ୍କ ମୃତ ଦେହ ଗାଁରେ ପହଞ୍ଚିବା ବେଳକୁ ଶୋକର ଡୁବି ଯାଇଥିଲା ସାରା ଅଞ୍ଚଳ। ଗାଁ ଶ୍ମଶାନରେ ଏକାଠି ଜଳିଥିଲା ଦୁଇ ଭଉଣୀଙ୍କ ଜୁଇ। ଏପଟେ କିଛି ଲୋକଙ୍କ କହିବାନୁଯାୟୀ, ପଦ୍ମନାଭ ଟଙ୍କା ପାଇଁ ନିଜ ଝିଅକୁ ବିକ୍ରି କରିଦେବା ପାଇଁ ମସୁଧା କରୁଥିଲେ। ଏହା ଜାଣି ଦୁଇ ଭଉଣୀ ଆତ୍ମହତ୍ୟା କରିଥିବା ମଧ୍ୟ ଶୁଣିବାକୁ ମିଳିଛି। କିନ୍ତୁ ଏହା ସ୍ପଷ୍ଟ ହୋଇପାରୁ ନଥିବା ପୁଲିସ କହିଛି। କବିସୂର୍ଯ୍ୟନଗର ପୁଲିସ ବାପା ପଦ୍ମନାଭକୁ ଅଟକ ରଖି ପଚରା ଉଚରା କରୁଛି।

ସମ୍ବନ୍ଧିତ ଖବର