ପଲିଥିନ ତଳ ଭଙ୍ଗା କୁଡିଆରେ ଜୀବନ ବିତାଉଛନ୍ତି ବାପା ମା ଛେଉଣ୍ଡ ଦୁଇ ଭଉଣୀ, ଘର ଖଣ୍ଡିଏ ପାଇଁ ଗୁହାରି କଲେ ମଧ୍ୟ ଶୁଣୁନାହିଁ ପ୍ରଶାସନ

କୋଲାବନଗର : ହୁଡହୁଡ ବାତ୍ୟାରେ ଭାଙ୍ଗି ଯାଇଥିବା ଭଙ୍ଗା ଘରେ ଜୀବନ ବିତାଉଛନ୍ତି ଦୁଇ ଅନାଥ ଭଉଣୀ। ବାପା ମା ଛେଉଣ୍ଡ ଦୁଇ ଭଉଣୀ କୁଲି କାମ କରି ଜୀବିକା ନିର୍ବାହ କରୁଛନ୍ତି। ଘର ଖଣ୍ଡିଏ ପାଇଁ ପ୍ରଶାସନକୁ ଗୁହାରି କଲେ ମଧ୍ୟ ଶୁଣୁନାହିଁ। ଫଳରେ ପଲିଥିନ ତଳ ଭଙ୍ଗା କୁଡିଆରେ ଜୀବନ ବିତୁଛି।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ବ୍ଲକର ଧଉଡାପଦର ଗାଁରେ। ସେମାନେ ରହୁଥିବା ଘରକୁ ଦେଖିଲେ କେହିବି ଆଶ୍ଚର୍ଯ୍ୟ ହେବେ। ଗୋଟିଏ ପଟ କାନ୍ଥ ଭୂଶୁଡ଼ି ଯାଇଛି। ଅନେକ ସ୍ଥାନରେ କାନ୍ଥ ଫାଟି ଆଁ କରିଛି। କେତେବେଳେ ଯେ, ଘର ଭୂଶୁୁଡ଼ି ଯିବ କହି ହେବ ନାହିଁ। ୨୦୧୪ ମସିହାରେ ହୋଇଥିବା ହୁଡହୁଡ ବାତ୍ୟାରେ ଭାଙ୍ଗି ଯାଇଥିଲା ଏହି ଘର। ସରକାରଙ୍କ ତରଫରୁ ପଲିଥିନଟିଏ ବି ମିଳି ନଥିବା ବେଳେ, ନିଜ ଅର୍ଥରେ ଘର ଉପରେ ପଲିଥିନ ପକାଇଛନ୍ତି। ଦୁଇ ଭଉଣୀ କୁନି ପାଙ୍ଗି ଓ ଡମନି ପାଙ୍ଗି। ବଡ ଭଉଣୀ କୁନି କୁଲି କାମ କରି ରୋଜଗାର କରୁଥିବା ଟଙ୍କାରେ କଷ୍ଟ ହେବାରୁ ନାବାଳିକା ସାନ ଭଉଣୀ ଡମନି ଜୟପୁରରେ କୁଲି କାମ କରି ସହଯୋଗ କରୁଛି। ତଥାପି ଦୁଇ ଭଉଣୀ ବହୁ କଷ୍ଟରେ ଜୀବିକା ନିର୍ବାହ କରୁଛନ୍ତି। ଅତିଦୟନୀୟ ଅବସ୍ଥାରେ ଚଳୁଥିବା ଏହି ଦୁଇ ଭଉଣୀଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି। ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ ଏମାନଙ୍କ କଥା କେହି ଶୁଣୁ ନାହାନ୍ତି। କୌଣସି ରୋଜଗାର ପନ୍ଥା ନ ଦିଅନ୍ତୁ ପଛେ, ଘରଟିଏ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ହୁଡହୁଡରେ ଏହି ଗାଁରେ ଆହୁରି ଅନେକଙ୍କ ଘର ଭାଙ୍ଗିଛି। ହେଲେ ଆର୍ଥିକ ସ୍ୱଛଳ ଥିବା ଲୋକ ଘର ମରାମତି କରିଥିବାବେଳେ ସେମାନଙ୍କ ପ୍ରତି ଦୃଷ୍ଟି ଦେଇନି ପ୍ରଶାସନ। ତେବେ ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି କୋରାପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେନ୍ଦ୍ର ନାୟକ କହିଛନ୍ତି।

ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି ସତ, ହେଲେ ପ୍ରକୃତ ଗରିବ ଲୋକଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚି ପାରୁ ନ ଥିବା ଯୋଗୁଁ ଆଜି ବି ଜୀବନ ଜୀବିକା ପାଇଁ ସଂଘର୍ଷ କରିବାକୁ ପଡୁଛି ଗରିବ ଲୋକଙ୍କୁ। ଇତି ମଧ୍ୟରେ ୪ଟି ବିଡିଓ ବଦଳି ହୋଇଥିଲେ ସୁଦ୍ଧା କେହି ବି ଏହି ଗରିବର ଦୁଃଖ ଶୁଣି ନାହାଁନ୍ତି। ତେଣୁ କେବେ ଏମାନଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚିବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର