ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ: ଜଣେ ମୃତ

ବରଗଡ଼: ମଂଗଳବାର ସକାଳେ ବରଗଡ଼ ସହରରେ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଜଣେ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।  ମୃତକଙ୍କ ନାମ ପ୍ରିୟଙ୍କା ଶର୍ମା (୧୮) ଏବଂ ଗୁରୁତର ଭଉଣୀ ଜଣକ ଗୁଡ଼ିଆ ଓରଫ୍‌ ସୋନମ ଶର୍ମା (୧୯)। ଘଟଣାଟି ଗତକାଲି ବିଳମ୍ବିତ ରାତି ଓ୍ଵାର୍ଡ ନମ୍ବର ୧ ଅନ୍ତର୍ଗତ ନିଗମାନନ୍ଦ ବିହାର ଅଂଚଳରେ ଘଟିଛି। ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ।

ସୂଚନା ଅନୁସାରେ, ବିହାର ରାଜ୍ୟ ଔରଙ୍ଗାବାଦର ମୂଳ ବାସିନ୍ଦା ରାମନାରାୟଣ ଶର୍ମା ଦୀର୍ଘ ୨୦ ବର୍ଷ ତଳେ ବରଗଡ଼ରେ ଗ୍ୟାରେଜ୍‌ ଟିଏ କରି ପରିବାରର ଗୁଜୁରାଣ କରୁଥିଲେ। ରାମନାରାୟଣଙ୍କ ମୃତ୍ୟୁ ପରେ ତିନି ପୁଅ ବିଭିନ୍ନ ସ୍ଥାନରେ କାମ କରି ପରିବାର ଚଳାଉଥିଲେ। ତେବେ ଗତରାତିରେ ଖିଆପିଆ ସାରିବା ପରେ ସାନ ଝିଅ ପ୍ରିୟଙ୍କା ଏବଂ ବଡ଼ ଝିଅ ସୋନମ ଶୋଇବାକୁ ଯାଇଥିଲେ। ଭୋର୍‌ରେ ଦେଖିବା ବେଳକୁ ଦୁହେଁ ବେକରେ ଓଢ଼ଣୀ ଦେଇ ଫ୍ୟାନ୍‌ରେ ଝୁଲୁଥିବା ପରିବାର ଲୋକେ ଦେଖିଥିଲେ। ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ଏତିକି ବେଳକୁ ପ୍ରିୟଙ୍କାଙ୍କ ମୃତ୍ୟୁ ଘଟି ସାରିଥିଲା। ଗୁରୁତର ସୋନମ ବରଗଡ଼ ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପରିବାରରେ ସେଭଳି କିଛି ବିବାଦ କିମ୍ବା ମନୋମାଳିନ୍ୟ ନଥିବା ଭାଇ ରାଜୁ କହୁଛନ୍ତି।

ସମ୍ବନ୍ଧିତ ଖବର