ଟ୍ରକ ଧକ୍କାରେ ଦୁଇ ଭଉଣୀଙ୍କ ମୃତ୍ୟୁ

କେନ୍ଦୁଝର : ସୋମବାର ସକାଳେ କେନ୍ଦୁଝର ସଦର ଥାନା ରାଇସୁଆଁ ନିକଟରେ ଟ୍ରକ ଚାପିଦେବାରୁ ପ୍ରାତଃଭ୍ରମଣରେ ବାହାରିଥିବା ଦୁଇ ଭଉଣୀଙ୍କର ମୃତ୍ୟୁ ହୋଇଛି। ମୃତ ଦୁଇ ଭଉଣୀ ହେଲେ ଗୋପୀନାଥପୁର ଗ୍ରାମର ପଙ୍କଜିନୀ ଦାଶ (୫୦) ଓ ତାଙ୍କ ସାନଭଉଣୀ ନିବେଦିତା ଦାଶ (୪୬)।

ପଙ୍କଜିନୀ ଓ ନିବେଦିତା ପ୍ରତିଦିନ ପରି ଆଜି ସକାଳେ ପ୍ରା‌ତଃଭ୍ରମଣରେ ବାହାରିଥିଲେ। ଦୁହେଁ ଘରୁ ବାହାରି ସଦର ଥାନା ଅଭିମୁଖେ ଯାଇଥିଲେ। ଗୋପୀନାଥପୁର ଶିବ ମନ୍ଦିର ନିକଟରୁ ସର୍ଭିସ୍ ରୋଡ୍‌ରେ ଯିବା ପରେ ୨୦ ନମ୍ବର ଜାତୀୟ ରାଜପଥରେ ଚଢ଼ିଥିଲେ। ମାତ୍ର ୨ ମିଟର ଯିବାପରେ ହିଁ ଏକ ଟ୍ରକ ଦୁହିଁଙ୍କ ଉପରେ ଚଢ଼ିଯାଇଥିଲା। ଡ୍ରାଇଭର ଟ୍ରକକୁ ଛାଡି ଫେରାର ହୋଇଯାଇଥିଲା। ପୁଲିସ ଟ୍ରକକୁ ଜବତ କରିବା ସହ ମୃତଦେହକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପରେ ସ୍ବର୍ଗଦ୍ବାରରେ ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର