କୁଳିଅଣା : ସାପ କାମୁଡ଼ାରେ ଦୁଇ ଭଉଣୀଙ୍କ ମୃତ୍ୟୁ

କୁଳିଅଣା : ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ବଡ଼ ନୂଆଗାଁ ଗ୍ରାମର ଦୁଇ ଭଉଣୀ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ମୃତକ ହେଲେ ଉକ୍ତ ଗ୍ରାମର ବିକ୍ରମାଦିତ୍ୟ ନାଏକଙ୍କ ଝିଅ ନନ୍ଦିତା (୧୧) ଓ କୀର୍ତ୍ତନ ନାଏକଙ୍କ ଝିଅ ରୋଜି (୧୨)। ବିକ୍ରମାଦିତ୍ୟ ଓ କୀର୍ତ୍ତନ ସମ୍ପର୍କରେ ସଡ଼ୁ।

ସୂଚନା ଅନୁଯାୟୀ ସ୍କୁଲ ଛୁଟି ପରେ ରୋଜି ନିଜ ମାମୁ ଘର କୁଳିଅଣା ଥାନା ଅନ୍ତର୍ଗତ ଦନାମରା ଗାଁରେ ରହି ପାଠ ପଢ଼ୁଥିବାବେଳେ ନିକଟରେ ତାଙ୍କ ମାଉସୀ ଝିଅ ଭଉଣୀ ରୋଜି ମା’ ସହ ମାମୁ ଘରକୁ ବୁଲିବାକୁ ଆସିଥିଲା। ଗତକାଲି ରାତିରେ ଖାଇବା ପରେ ନନ୍ଦିତା ଓ ରୋଜି ସାଙ୍ଗ ହୋଇ ଗୋଟିଏ ବିଛଣାରେ ଶୋଇଥିଲେ। ତେବେ ରାତି ପ୍ରାୟ ୨ଟା ବେଳେ ଏକ ବିଷଧର ସାପ ବିଛଣାରେ ପଶି ଉଭୟଙ୍କୁ କାମୁଡି ଦେବାରୁ ଦୁଇ ଭଉଣୀ ଚିତ୍କାର କରିଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ସେମାନଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ସାଢ଼େ ୬ଟାରୁ ୭ଟା ମଧ୍ୟରେ ଆଗପଛ ହୋଇ ଦୁଇଭଉଣୀ ଆଖି ବୁଜିଥିଲେ। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିବା ପରେ ଦୁଇ ଝିଅଙ୍କ ପରିବାର ଓ ମାମୁଘର ଲୋକଙ୍କ କାନ୍ଦବୋବାଳିରେ ଡାକ୍ତରଖାନା ପରିସର ଫାଟି ପଡ଼ିଥିଲା। କୁଳିଅଣା ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଥାନା କେସ୍‌ ନଂ ୧୩/୨୦ ଓ ୧୪/୨୦ରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶୋକାକୁଳ ପରିବେଶରେ ଦନାମରା ଗ୍ରାମରେ ଦୁଇ ଭଉଣୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ସମ୍ବନ୍ଧିତ ଖବର