ଫଳ ଖରାପ ପରେ ଚରମ ନିଷ୍ପତ୍ତି : ୨ଛାତ୍ରଛାତ୍ରୀ ଜୀବନ ହାରିଲେ

ସୁକିନ୍ଦା/ଯାଜପୁରସଦର : ମାଟ୍ରିକ୍‌ ଫଳ ପ୍ରକାଶନ ପରେ କେଉଁଠି ଖୁସିର ଫୁଆର ତ ଆଉ କେଉଁଠି ଦୁଃଖର ଜୁଆର ଦେଖିବାକୁ ମିଳିଛି। ଭଲ ନମ୍ବର ପାଇଥିବା ପିଲାଏ ଖୁସି ମନାଇଥିବା ବେଳେ ଫଳ ଖରାପ ହେବାରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଆଜି ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କମ୍‌ ନମ୍ବର ରହିବାରୁ ଯାଜପୁର ଜିଲ୍ଲାର ଦୁଇଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସୁକିନ୍ଦା ଥାନା ଅନ୍ତର୍ଗତ ଓଳିଆ ପଞ୍ଚାୟତ କଇଁଜିରା ଗ୍ରାମର ଗୌରାଙ୍ଗ ମହାନ୍ତଙ୍କ ଝିଅ ଲକ୍ଷ୍ମୀପ୍ରିୟା ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ବିଂଝାରପୁର ଥାନା ଅନ୍ତର୍ଗତ ରତଳାଙ୍ଗ ଗ୍ରାମର କମ୍ଭୁନାଥ ମଲିକଙ୍କ ପୁଅ ପଦ୍ମଲୋଚନ(୧୬) ବିଷ ପିଇ ଆତ୍ମହତ୍ୟା କରିଛନ୍ତି।

ଫଳ ପ୍ରକାଶ ପାଇବା ପରେ କମ୍‌ ନମ୍ବର ଦେଖି କଇଁଜିରା ଗ୍ରାମର ଲକ୍ଷ୍ମୀପ୍ରିୟା ଘରେ ପଶି ରଶି ଲଗାଇ ଦେଇଥିଲେ। ପରିବାର ଲୋକ ଜାଣିବା ପରେ ତାଙ୍କୁ ଉଦ୍ଧାର କରି କଳିଙ୍ଗନଗର ଟାଟା ମେଡ଼ିକା ହସ୍‌ପିଟାଲ୍‌କୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସୁକିନ୍ଦା ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ସେହିପରି ଆଜି ବିଂଝାରପୁର ରତଳାଙ୍ଗ ଗ୍ରାମର ମେଧାବୀ ଛାତ୍ର ପଦ୍ମଲୋଚନ ସାଙ୍ଗସାଥୀଙ୍କ ସହ ପରୀକ୍ଷା ଫଳ ଦେଖିବା ପାଇଁ ଯାଇଥିଲେ। ବରୀ ବ୍ଲକ୍‌ ରତ୍ନେଶ୍ୱର ବିଦ୍ୟାପୀଠର ଛାତ୍ର ପଦ୍ମଲୋଚନ ଆଶାନୁରୂପ ନମ୍ବର ନପାଇଥିବାରୁ ମାନସିକ ଭାରସାମ୍ୟ ହରାଇଥିଲେ। ଘରେ ପହଞ୍ଚି ବିରି ଫସଲ ପାଇଁ ରଖାଯାଇଥିବା ବିଷ ପିଇ ଦେଇଥିଲେ। ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ପ୍ରଥମେ ଅଲ୍ଲୀପୁର ପ୍ରାଥମିକ ବିଦ୍ୟାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଅବସ୍ଥା ସଂକଟାପନ୍ନ ହୋଇପଡ଼ିବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ତେବେ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଘରର ଏକମାତ୍ର ପୁଅର ମୃତ୍ୟୁରେ ପଦ୍ମଲୋଚନଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର