ସରକାରୀ ବିଦ୍ୟାଳୟରେ ବିସ୍ଫୋରଣ : ଦୁଇ ଛାତ୍ର ଗୁରୁତର, ଜଣଙ୍କ ଆଙ୍ଗୁଠି ଛିଣ୍ଡିଲା

ଆସିକା/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଆସିକା ଥାନା ହରଡ଼ାପଥର ପଞ୍ଚାୟତ ଅନ୍ତର୍ଗତ ମାଗୁରା ଗ୍ରାମରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ସକାଳେ ବିସ୍ଫୋରଣ ଘଟିଛି। ଏଥିରେ ଦୁଇଜଣ ଛାତ୍ର ଗୁରୁତର ହୋଇଛନ୍ତି। ସେମାନେ ହେଲେ ମାଗୁରା ଗ୍ରାମର ବନମାଳୀ ସ୍ବାଇଁଙ୍କ ପୁଅ ଚନ୍ଦନ ସ୍ବାଇଁ ଏବଂ ବିଷ୍ଣୁ ନାୟକଙ୍କ ପୁଅ ରାଜା ନାୟକ। ବିସ୍ଫୋରଣରେ ଚନ୍ଦନର ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ବେଳେ ରାଜାର ବାମହାତର ଗୋଟିଏ ଆଙ୍ଗୁଠି ସମ୍ପୂର୍ଣ୍ଣ ଛିଣ୍ଡି ଯାଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଜିଲ୍ଲା ଶିକ୍ଷାଧିକାରୀ ଡ. ସନାତନ ପଣ୍ଡା ଏମ୍‌କେସିଜି ମେଡିକାଲ କାଜୁଆଲ୍‌ଟିରେ ପହଞ୍ଚି ଆହତ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ଘଟଣାର ତଦନ୍ତ ପାଇଁ ଶିକ୍ଷା ବିଭାଗର ଏକ ଟିମ୍‌ ମାଗୁରା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇଥିବା ନେଇ ସୂଚନା ଦେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହା ପଥର ଫୁଟା ପାଇଁ ଉଦ୍ଦିଷ୍ଟ ଡିଟୋନେଟର ଥିଲା ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ତେବେ ସ୍କୁଲ ପରିସରରେ କିଏ ବିସ୍ଫୋରକ ସାମଗ୍ରୀ ରଖିଥିଲା ସେ ନେଇ ପୁଲିସ ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁସାରେ ବିଦ୍ୟାଳୟର ସମୁଦାୟ ୮ଟି ଶ୍ରେଣୀରେ ମୋଟ ୬୪ ଛାତ୍ରୀଛାତ୍ର ପାଠ ପଢ଼ନ୍ତି। ଶନିବାର ଥିବାରୁ ଆଜି ସକାଳୁଆ ସ୍କୁଲ ଥିଲା। ୯ଟାରୁ ସାଢ଼େ ୯ଟା ମଧ୍ୟରେ ବିଦ୍ୟାଳୟରେ ଭୋଜନ ପାଇଁ ବିରତି ସମୟ ଚାଲିଥିଲା। ଏହି ସମୟରେ କିଛି ଛାତ୍ର ବିଦ୍ୟାଳୟ ପରିସରରେ ଥିବା ଶୌଚାଳୟ ଆଡ଼କୁ ଯାଇଥିଲେ। ଏହାର କିଛି ସମୟ ପରେ ଶୌଚାଳୟ ସଂଲଗ୍ନ ପଡ଼ିଆରେ ହଠାତ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଶବ୍ଦ ଶୁଣି ଅନ୍ୟ ଛାତ୍ରଛାତ୍ରୀ ଓ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ। ପରେ ସେମାନେ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ଅଷ୍ଟମ ଶ୍ରେଣୀ ଛାତ୍ର ଚନ୍ଦନ ଏବଂ ସପ୍ତମ ଶ୍ରେଣୀ ଛାତ୍ର ରାଜା ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ଉଭୟଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ତୁରନ୍ତ ଉଭୟ ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ଆସିକା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।

ଖବର ପାଇ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ତହସିଲଦାର ସୁବାସ ଚନ୍ଦ୍ର ସେଠିଆ, ଥାନା ଅଧିକାରୀ ପୀତବାସ ଧାରୁଆ, ବିଡିଓ ଗାୟତ୍ରୀ ଦତ୍ତ ନାୟକ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିସ୍ଫୋରଣସ୍ଥଳରୁ ପୁଲିସ ମାଟି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବ ବୋଲି ଜଣାପଡ଼ିଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବବିତା ଆଚାର୍ଯ୍ୟଙ୍କ ଅଭିଯୋଗ କ୍ରମେ ଆସିକା ପୁଲିସ କେସ୍ ନମ୍ବର ୨୩୪/୧୯ରେ ମାମଲା ରୁଜୁ କରିଛି। ସ୍କୁଲ ପରିସରକୁ ଏହି ବିସ୍ଫୋରକ ସାମଗ୍ରୀ କେମିତି ଆସିଲା ସେ ନେଇ ତଦନ୍ତ ଆରମ୍ଭ କରିଛି। ସ୍କୁଲ ନିକଟରେ ପାହାଡ଼ ବ୍ଲାଷ୍ଟିଂ ପାଇଁ ଡିଟୋନେଟର୍‌ ବ୍ୟବହାର କରାଯାଉଛି। ତେଣୁ ସେହି ଡିଟୋନେଟର୍‌ରୁ ଏଭଳି ବିସ୍ଫୋରଣ ହୋଇଥିବା ନେଇ ପୁଲିସ ଅନୁମାନ କରୁଛି। ତେବେ ସେହି ଡିନୋଟୋନର୍‌ କିଏ ଆଣିଲା ତାହା ଅଦ୍ୟାବଧି ସ୍ପଷ୍ଟ ହୋଇ ନାହିଁ। ଘଟଣାସ୍ଥଳରୁ ଏକ ମୋବାଇଲ ବ୍ୟାଟେରି ଓ କିଛି ତାର ଜବତ ହୋଇଥିବା ଜଣାପଡ଼ିଛି। ଏ ଦିଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବାବେଳେ ଟୁଟୁ ପାଢ଼ୀ ନାମକ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର