ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି, ହିଂସାକାଣ୍ଡ ଘଟିଛି। ଛାତ୍ରାବାସରେ ଦୁଇଛାତ୍ର ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇ ରକ୍ତାକ୍ତ ସଂଘର୍ଷ ଘଟିବା ସହ ଛାତ୍ର ସଂସଦ ସଭାପତିଙ୍କ ଉପରେ ଆକ୍ରମଣ ହୋଇଛି। ଏ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳସଚିବ ରଞ୍ଜନ କୁମାର ବିଶ୍ୱାଳଙ୍କ ନିକଟରେ ପୃଥକ୍ ପୃଥକ୍ ଅଭିଯୋଗ କରାଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଉଭୟ ପକ୍ଷର ଅଭିଯୋଗ ଗୋପାଳପୁର ଥାନାକୁ ପଠାଯାଇଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଛାତ୍ର ଓ ଅଣଛାତ୍ର ମିଳିତଭାବେ ନାଗାବଳୀ ହଷ୍ଟେଲ ପରିସରକୁ ଆସି ଅନ୍ତେବାସୀଙ୍କୁୁ ଗାଳିଗୁଳଜ କରିବା ସହ ଧମକ ଦେଇଥିଲେ। ଏହାକୁ ଅନ୍ତେବାସୀ ବିରୋଧ କରିବାରୁ ଛାତ୍ର ଓ ଅଣଛାତ୍ର ମିଳିତ ଭାବେ ଆକ୍ରମଣ କରିଥିଲେ। ଫଳରେ ଅନ୍ତେବାସୀମାନେ ଉତ୍କ୍ଷିପ୍ତ ହୋଇ ବ୍ୟାଟ, ଷ୍ଟମ୍ପରେ ପାଲଟା ଆକ୍ରମଣ କରିଥିଲେ। ଏଥିରେ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଭି. ଶ୍ରୀନିବାସ ରାଓଙ୍କ ସମେତ ତାଙ୍କର ଦୁଇ ସହଯୋଗୀ ଆହତ ହୋଇ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଚିକତ୍ସିତ ହେଉଛନ୍ତି। ଏଭଳି ଆକ୍ରମଣ ଘଟଣାକୁ ବିରୋଧ କରି ଅନ୍ତେବାସୀମାନେ ଗତରାତିରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଇଥିଲେ। କୁଳପତି ରାଜେନ୍ଦ୍ର ପ୍ରସାଦ ଦାଶ ଅନ୍ତେବାସୀମାନଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ଧାରଣାରୁ ଓହରି ନଥିଲେ। ଗୋପାଳପୁର ଥାନାଧିକାରୀ ସୁଶାନ୍ତ କୁମାର ସାହୁ ଓ ଭଞ୍ଜବିହାର ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନ୍ତେବାସୀମାନଙ୍କୁ ବୁଝାସୁଝା କରିବା ସହ ସଂପୃକ୍ତ ବିଶୃଙ୍ଖଳାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଅନ୍ତେବାସୀମାନେ ଧାରଣାରୁ ଓହରିଥିଲେ।
ଆଜି ସଭାପତି ଶ୍ରୀ ରାଓ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି କିଛି ନିର୍ଦ୍ଦିଷ୍ଟ ଛାତ୍ର ଓ ଅଣଛାତ୍ର ସଂଘବଦ୍ଧ ଭାବେ ତାଙ୍କ ଉପରେ ଆକ୍ରମଣ କରିଥିବା ନେଇ କୁଳସଚିବ ରଞ୍ଜନ କୁମାର ବିଶ୍ୱାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।