ଗ୍ୟାସ୍‌ ଟ୍ୟାଙ୍କର-ଟ୍ରକ୍‌ ମୁହାଁମୁହିଁ ଧକ୍କା ପରେ ଲାଗିଲା ନିଆଁ, ୨ ଚାଳକ ଜିଅନ୍ତା ଜଳିଗଲେ

ଗ୍ୟାସ୍‌ ଲିକ୍‌ ଯୋଗୁଁ ‌ଆତଙ୍କ, ଅଟକି ରହିଲା ଯାନବାହନ

ଯୁଯୁମୁରା : ସମ୍ବଲପୁର ଜିଲ୍ଲା ଯୁଯୁମୁରା ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଶନିବାର ଭୋର୍‌ ପ୍ରାୟ ସାଢ଼େ ୪ଟା ସମୟରେ ଏକ ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର୍ ଓ ଲୁହାପଥର ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଉଭୟ ଗାଡ଼ିର କେବିନ୍‌ ସଂପୂର୍ଣ୍ଣ ଜଳି ଯିବା ସହ ଦୁଇଜଣ ଯାକ ଚାଳକ ଜିଅନ୍ତା ଜଳି ଯାଇଛନ୍ତି। ଏହାପରେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ହେବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ପରେ ଝାରସଗୁଡ଼ାରୁ ବିଭାଗୀୟ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ ଲିକ୍‌ ରୋକିବାରେ ସଫଳ ହେବାରୁ ଲୋକେ ଆଶ୍ବସ୍ତ ‌ହୋଇଛନ୍ତି।

ଭାରତ ପେଟ୍ରୋଲିୟମ୍‌ କଂପାନିର ‌ ଏହି ଗ୍ୟାସ୍‌ ଟ୍ୟାଙ୍କର (ଓଡି-୦୫ଏଏଚ୍‌-୧୦୯୯) ଟି କଟକ ପଟୁ ସମ୍ବଲପୁର ଅଭିମୁଖେ ଆସୁଥିବା ବେଳେ ଲୁହାପଥର ବୋଝେଇ ଟ୍ରକ୍‌(ସିଜି-୧୩ବି-୭୬୯୯) ବିପରୀତ ଦିଗରେ ଯାଉଥିଲା। ଯୁଯୁମୁରା ଥାନାଠୁ ପ୍ରାୟ ଦେଢ଼ଶହ ମିଟର ଦୂରରେ ଉଭୟ ଗାଡ଼ି ମଧ୍ୟରେ ଧକ୍କା ହେବା ଫଳରେ ନିଆଁ ଲାଗି ଯାଇଥିଲା। ଫଳରେ ଉଭୟ ଗାଡ଼ିର କ୍ୟାବିନ୍‌ ଭିତରେ ଚାପି ହୋଇଯାଇ ଚାଳକ ଦ୍ବୟ ସଂପୂର୍ଣ୍ଣ ଜଳି ଯାଇଥିଲେ। ମୃତ ଟ୍ୟାଙ୍କର୍‌ ଡ୍ରାଇଭର୍ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ରେଂଗାଲୋ ଗାଁର ଶ୍ୟାମ ସୁନ୍ଦର ପାଣି (୪୫) ବୋଲି ଜଣା ପଡ଼ିଛି। ସେହିପରି ମୃତ ଟ୍ରକ୍‌ ଡ୍ରାଇଭର୍‌ଙ୍କ ନାମ ଦାନିସ୍‌ ଅଲୀ ଅନ୍‌ସାରି (୩୫) ଓ ସେ ଝାଡ଼ଖଣ୍ଡର ଲଟିହାଲ ନିବାସୀ ବୋଲି ପୁଲିସ ପ୍ରକାଶ କରିଛି।

ଦୁର୍ଘଟଣା ପରେ ରାଜପଥ ଉପରେ ଗାଡ଼ି ଦୁଇଟି ଜଳୁଥିବାରୁ ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଯୁଯୁମୁରା ଅଗ୍ନିଶମ ବାହିନୀ ଓ ଯୁଯୁମୁରା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ସମ୍ବଲପୁର ଓ ରେଢ଼ାଖୋଲ ଅଗ୍ନିଶମ ବାହିନୀ ମଧ୍ୟ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ରାସ୍ତା ୨ ଘଣ୍ଟା କାଳ ବନ୍ଦ ରହିବା ପରେ ୬ଟା ୩୦ରୁ ଯାନବାହନ ଚଳାଚଳ ଆରମ୍ଭ ହୋଇଥିଲା। ତେବେ ସକାଳ ପ୍ରାୟ ୯ଟା ବେଳେ ଟ୍ୟାଙ୍କର୍‌ରୁ ଗ୍ୟାସ୍‌ ଲିକ୍‌ ହେଉଥିବା ଜଣା ପଡ଼ିଥିଲା। ଗ୍ୟାସ୍‌ କାଢ଼ିବା ପାଇଁ ଉଦ୍ଦିଷ୍ଟ ୩ଟି ଭାଲ୍‌ଭ ମଧ୍ୟରୁ ଗୋଟିଏ ଭାଙ୍ଗି ଯାଇଥିବାରୁ ଗ୍ୟାସ୍‌ ବାହାରୁଥିଲା। ଏହା ଫଳରେ କିଛି ସମୟ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ପୁଲିସ୍‌ ତୁରନ୍ତ ଉଭୟ ପାର୍ଶ୍ବର ରାସ୍ତା ସିଲ୍ କରି ଯାନବାହାନ ଚଳାଚଳ ବନ୍ଦ କରିଥିଲା। ଭାରୀଯାନଗୁଡ଼ିକୁ କିଛି ଦୂରରେ ଅଟକାଯାଇଥିବା ବେ‌ଳେ ଛୋଟ ଗାଡ଼ି ପାଇଁ ଅନ୍ୟ ଏକ ଡାଇଭର୍ସନ ରାସ୍ତା ବାହାର କରା ଯାଇଥିଲା। ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସମ୍ବଲପୁରରୁ ୪୦ ଜଣ ଆଇଆର୍‌ବି ଯବାନ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର