୨ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ

ଯାଜପୁରଟାଉନ : କାର୍ଯ୍ୟରେ ଅବହେଳା ପାଇଁ ଯାଜପୁର ଜିଲ୍ଲାର ୨ ପଞ୍ଚାୟତ ନିର୍ବାହୀ ଅଧିକାରୀ (ଭିଏଲ୍‌ଡବ୍ଲୁ)ଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ଦୁଇ ଅଧିକାରୀ ହେଲେ ରସାନନ୍ଦ ଜେନା ଓ ରାମଚନ୍ଦ୍ର ପାଲ।

ଅଭିଯୋଗ ଅନୁଯାୟୀ ୨୦୧୭-୧୮ ଆର୍ଥିିକ ବର୍ଷରେ ବ୍ଲକ୍‌ର ୨୬ଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି। ଅନ୍ୟାନ୍ୟ ପଞ୍ଚାୟତର ନିର୍ବାହୀ ଅଧିକାରୀମାନେ ସେମାନଙ୍କ ଲକ୍ଷ୍ୟ ଧାର୍ଯ୍ୟ ୮୦ ପ୍ରତିଶତରୁ ଅଧିକ ପୂରଣ କରି ସାରିଲେଣି। ହେଲେ ବାସୁଦେବପୁର ଓ ମହେଶ୍ୱରପୁର ପଞ୍ଚାୟତରେ ଥିବା ୮୭ ଓ ୧୧୪ଟି ଘର ବଣ୍ଟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଏହି ଦୁଇ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ବ୍ଲକ୍‌ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିଲେ ହେଁ ସେମାନେ କୌଣସି ପଦକ୍ଷେପ ନେଇନଥିଲେ। ବାରମ୍ବାର ତାଗିଦ୍‌ ସତ୍ତ୍ୱେ ସେମାନେ ଏହାକୁ ଜାଣିଶୁଣି ଡେରି କରିଚାଲିଥିଲେ। ଏହାଦ୍ୱାରା ଅଦ୍ୟାବଧି ସେମାନଙ୍କ ଲକ୍ଷଧାର୍ଯ୍ୟ ପୂରଣ ହୋଇପାରିନାହିଁ। ଏଭଳି ସାଂଘାତିକ ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଥିଲେ। କାର୍ଯ୍ୟରେ ଅବହେଳା ଦୃଷ୍ଟିରୁ ଜିଲ୍ଲାପାଳ ଶ୍ରୀ ଦାସ ବାସୁଦେବପୁରର ନିର୍ବାହୀ ଅଧିକାରୀ ଶ୍ରୀ ଜେନା ଓ ମହେଶ୍ୱରପୁରର ଶ୍ରୀ ପାଲ୍‌ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

ସମ୍ବନ୍ଧିତ ଖବର