୨ ମହିଳାଙ୍କୁ ସ୍ୱାଇନ୍‌ ଫ୍ଲୁ

ଭୁବନେଶ୍ୱର : ଗୋଟିଏ ମାସର ବ୍ୟବଧାନ ପରେ ପୁଣିଥରେ ଫେରିଛି ସ୍ୱାଇନ୍‌ ଫ୍ଲୁ। ଗତ ମାସ ୨୬ତାରିଖରେ ରାଜ୍ୟରେ ସ୍ୱାଇନ୍‌ ଫ୍ଲୁ ଘଟଣା ଦେଖାଯିବା ପରେ ଗତ ୨ଦିନ ମଧ୍ୟରେ ୨ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ଦୁଇ ଜଣ ହେଉଛନ୍ତି ମହିଳା। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଦୁହିଁଙ୍କର ଚିକିତ୍ସା ହେଉଥିବା ଜଣାପଡ଼ିଛି। ଏହାକୁ ମିଶାଇ ଚଳିତବର୍ଷ ରାଜ୍ୟରେ ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ୩ ଛୁଇଁଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଚିହ୍ନଟ ହୋଇଥିବା ଯୁବତୀ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲାର। ତାଙ୍କ ବୟସ ୨୯ବର୍ଷ। ସ୍ୱାବ୍‌ ପରୀକ୍ଷା ପରେ ତାଙ୍କୁ ସ୍ୱାଇନ୍‌ ଫ୍ଲୁ ହୋଇଥିବା ସ୍ପଷ୍ଟ ହୋଇଥିଲା। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସେହିପରି ୨ଦିନ ପୂର୍ବରୁ ରାଜଧାନୀର ୮୫ବର୍ଷିୟା ମହିଳା ମଧ୍ୟ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ତେବେ ଶୀତଦିନର ଯଥେଷ୍ଟ ପୂର୍ବରୁ ଏଭଳି ଘଟଣା ନଜରକୁ ଆସିବାକୁ ନେଇ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ଉଲ୍ଲେଖ ଯେ, ଗତ ମାସ ୨୬ତାରିଖରେ ଖୋର୍ଧା ନାଚୁଣୀ ଅଞ୍ଚଳର ଜଣେ ଯୁବତୀ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଥିଲେ। ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ହୋଇଥିଲା।

ସମ୍ବନ୍ଧିତ ଖବର